‘ଏମଆରଏସଏଏମ’ର ସଫଳ ପରୀକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା) :ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ନମୁନା କ୍ଷେପଣାସ୍ତ୍ର (ଏମଆରଏସଏଏମ)ର ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି । ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନଂ ଲଞ୍ଚ କମ୍ପେ୍ଲକ୍ସରୁ ଏହା ପରୀକ୍ଷା କରାଯାଇଥିଲା । ଡିଆରଡିଓ ଓ ଭାରତ ଡାଇନାମିକ ଲିମିଟେଡର ମିଳିତ ସହଯୋଗରେ ନିର୍ମିତ ଏହି ‘ଏମଆରଏସଏଏମ’ର ଓଜନ ୧୫୪ କିଲୋଗ୍ରାମ, ଲମ୍ବ ୩.୮୪ ମିଟର ଓ ମୋଟେଇ ୧୭୮ ମିଲିମିଟର ଅଟେ । ୨୫ରୁ ୩୦ କିଲୋମିଟର ଦୂରରୁ ଲକ୍ଷଭେଦ କରିବାର କ୍ଷମତା ରହିଛି ଏହାର । ଏହା ବାୟୁମଣ୍ଡଳର ୧୨ କିଲୋମିଟର ଉପରେ ଶବ୍ଦର ଗତିଠାରୁ ୪.୫ଗୁଣ ଅଧିକ ବେଗର ଗତି କରିଥାଏ । ତେବେ ଆଜିର ଏମଆରଏସଏଏମ ପରୀକ୍ଷା ବେଳେ ଜିଲା ପ୍ରଶାସନ ପକ୍ଷରୁ ଆଇଟିଆର ଲଞ୍ଚ କମ୍ପେକ୍ସ-୩ର ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଥିବା ୫ ଗୋଟି ପଞ୍ଚାୟତରୁ ୭ହଜାର ଗ୍ରାମବାସୀଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।