ବାଲେଶ୍ୱରରେ NAQUIM କର୍ମଶାଳା ଅନୁଷ୍ଠିତ
ବାଲେଶ୍ୱର,(ସରୋଜ ପଣ୍ଡା): ଜାତୀୟ ଭୂତଳ ଜଳ ମାନଚିତ୍ରଣ ଓ ପରିଚାଳନା କାର୍ଯ୍ୟକ୍ରମ (NAQUIM) ସମ୍ପର୍କିତ ଏକ କର୍ମଶାଳା ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (CGWB), ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ରାଜ କିଶୋର ମହାନ୍ତି ଓ ବିନୋୟ କୁମାର ବେହେରା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଭୂତଳ ଜଳର ସଂରକ୍ଷଣ, ମାନଚିତ୍ରଣ ଓ ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ପୌରପାଳିକା ଶ୍ରୀଯୁକ୍ତ ଶିରିଆଲ ଶୁଭ୍ର ପଟେଲ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ଆଲୋଚନାରେ ଇଣ୍ଡୋ-ଜର୍ମାନ ଦ୍ୱିପାକ୍ଷିକ ପ୍ରକଳ୍ପ “SuWAVi-2047” ସମ୍ପର୍କରେ ମଧ୍ୟ ମତବିନିମୟ କରାଯାଇଥିଲା। ଭୂତଳ ଜଳ ସମ୍ପଦର ସୁଦୂରପ୍ରସାରୀ ଓ ସ୍ଥାୟୀ ପରିଚାଳନା ପାଇଁ ଏଭଳି ବୈଜ୍ଞାନିକ ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ NAQUIM ରିପୋର୍ଟଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ସହ ଅଂଶୀଦାର କରିବା ନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ ଭୂତଳ ଜଳର ସ୍ଥିତି ଓ ଉପଲବ୍ଧ ବୈଜ୍ଞାନିକ ତଥ୍ୟକୁ ଆଧାର କରି ଭବିଷ୍ୟତରେ ଜଳ ସମ୍ପଦର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କର୍ମଶାଳାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଭୂତଳ ଜଳ ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଜଳସ୍ତର ହ୍ରାସ, ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନ, ଜଳର ଗୁଣବତ୍ତା ଏବଂ ଭବିଷ୍ୟତରେ ଜଳ ଚାହିଦା ବୃଦ୍ଧି ଭଳି ବିଷୟଗୁଡ଼ିକର ବୈଜ୍ଞାନିକ ଓ ପ୍ରଶାସନିକ ସମାଧାନ ଉପରେ ମତବିନିମୟ କରାଯାଇଥିଲା।
ଏଥିସହ ସ୍ଥାୟୀ ଭୂତଳ ଜଳ ପରିଚାଳନା ଯୋଜନା (Sustainable Groundwater Management Plan) ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭୂତଳ ଜଳର ପୁନର୍ଭରଣ ବୃଦ୍ଧି, ବର୍ଷାଜଳ ସଂରକ୍ଷଣ, ଜଳର ସୁବିଚାରିତ ବ୍ୟବହାର ଏବଂ ଜନସାଧାରଣଙ୍କ ମଧ୍ୟରେ ଜଳ ସଂରକ୍ଷଣ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। କର୍ମଶାଳାରେ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେଇ ଭୂତଳ ଜଳର ସୁରକ୍ଷା ଓ ଦୀର୍ଘସ୍ଥାୟୀ ପରିଚାଳନା ପାଇଁ ସମନ୍ୱିତ ପଦକ୍ଷେପ ନେବା ଉପରେ ମତ ପ୍ରକାଶ କରିଥିଲେ।


