ଖାଦ୍ୟ ସୁରକ୍ଷା ଯୋଜନା ପାଲଟିଛି ପ୍ରସହସନ : ପ୍ରତିବାଦରେ ପଞ୍ଚାୟତ ଘେରିଲେ ହିତାଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ) :ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ମାସ ଚାଉଳ, ଗହମ ଓ କିରାସିନି ଯୋଗାଇ ଦେଉଥିବାବେଳେ କିଛି ଅଧିକାରୀଙ୍କ ପାଇଁ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ହିତାଧିକାରୀ । ଏପରିକି ମାସକୁ ମାସ ରେସନ ସାମଗ୍ରୀ ଆସୁଥିଲେବି କିଛି ପଞ୍ଚାୟତରେ ଏହାକୁ ଠିକ ସମୟରେ ଦିଆନଯିବାରୁ ହିତାଧିକାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଘଟଣାରେ ଆଜି ହାଟଡିହି ବ୍ଲକ କଳିଗାଁ ଗ୍ରାମରେ ଶହଶହ ହିତାଧିକାରୀ ୨ମାସର ଟଙ୍କାକିଆ ଚାଉଳ ଓ ଦୁଇ ମାସର ମାଗଣା ଚାଉଳ, ଗହମ ପାଇନଥିବା ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ କଳିଗାଁ ପଞ୍ଚାୟତର ୱାର୍ଡନଂ-୧, ୬, ୧୨, ଓ ୧୩ନଂ ୱାର୍ଡର ଲୋକମାନେ ଆଜକୁ ୫ମାସ ହେଲା ଚାଉଳ ପାଇନାହାନ୍ତି । ଅନ୍ୟ ୱାର୍ଡରେ ଗତ କିଛିଦିନ ତଳେ ଚାଉଳ ଦିଆଯାଇଥିବାବେଳେ ଆମ ୱାର୍ଡକୁ ଦିଆଗଲା ନାହିଁ । ଆମେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିରାଶରେ ଫେରିବାକୁ ବାଧ୍ୟ ହେଉଛୁ । ଏଇ କିଛିଦିନ ଭିତରେ ଆମକୁ ତିନି ଚାରିଥର ଏପରି ଡାକି ଫେରାଉଛନ୍ତି ବୋଲି ରମାକାନ୍ତ ପାତ୍ର, ପୁର୍ଣ୍ଣିମା ଦାସ, ଶାନ୍ତିଲତା ଜେନା, କାଳନ୍ଦି ଚରଣ ଦାସ, ଲକ୍ଷ୍ମୀଧର ଦାସ, ସଞ୍ଜୁଲତା ଦାସ, ପ୍ରଭାକର ଜେନା, ସପୋଧନ ସେଠୀ, ସାମଗର ସାମଲ, ରୋହିତ କୁମାର ପୃଷ୍ଟି, ଶତୃଘ୍ନ ରାଉତ, ଭାଷ୍କର ଜେନା, ଘନଶ୍ୟାମ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ଆଜି ଚାଉଳ ଦେବାପାଇଁ ଡାକିଦେଇଥିଲେ । କିନ୍ତୁ ଲୋକମାନେ ଆସିବା ବେଳକୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଛି । ଘଣ୍ଟା ଘଣ୍ଟା ଧରି ବସିବାପରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ କାର୍ଯ୍ୟାଳୟକୁ ଘେରାଉ କରି ଏହାର ପ୍ରତିବାଦ କରିଥିଲେ । ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଞ୍ଚାୟତରେ ଚାଉଳ ଗଚ୍ଛିତ ଅଛି, କିନ୍ତୁ ବଣ୍ଟନ କରୁଥିବା ବ୍ୟକ୍ତି ଜଣକ ନଆସିବାରୁ ଏପରି ଅସୁବିଧା ଉପୁଜିଛି ବୋଲି କହିଛନ୍ତି । ଆସନ୍ତା କାଲି ଆମେ ସମସ୍ତଙ୍କୁ ଚାଉଳ ବାଣ୍ଟିଦେବୁ ବୋଲି ପିଇଓ କହିଛନ୍ତି ।