ସାମ୍ବାଦିକଙ୍କୁ ବେଡ଼ି : ଦୃଢ଼ ବିରୋଧ ଓ ନିନ୍ଦା କଲା ଓଡ଼ିଶା ନାଗରିକ ମହାମଞ୍ଚ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମାରିବା, ଅମାନୁଷିକ ଭାବେ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ଦୃଢ଼ ଭାବରେ ବିରୋଧ ଓ ନିନ୍ଦା କରିଛି ଓଡ଼ିଶା ନାଗରିକ ମହାମଞ୍ଚ । ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ଓଡ଼ିଶା ନାଗରିକ ମହାମଞ୍ଚର ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ଯେ ଥାନାଧିକାରୀ ଦ୍ରୌପଦୀ ଦାସଙ୍କୁ ବଦଳି ନୁହେଁ ନିଲମ୍ବନ କରିବା ଆବଶ୍ୟକ । ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଆବଶ୍ୟକ । ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଉପସଭାପତି ପ୍ରଦୀପ ବିଶ୍ୱାଳ, ବି. ମୁରଲୀଧର, ସଂଯୋଜକ ନାରାୟଣ ଓଝା ଉକ୍ତ ଘଟଣାକୁ ବିରୋଧ କରିବା ସହିତ ମାନବାଧିକାରକୁ ସମ୍ପୂର୍ଣ୍ଣ ଭାବେ ବଳି ଦିଆଯାଇଛି ବୋଲି ମତ ବ୍ୟକ୍ତ କରିଥିଲେ । ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ଦୋଷୀଙ୍କୁ ଦୃଢ଼ ଦଣ୍ଡ ଦିଅନ୍ତୁ ବୋଲି ଅନ୍ୟ ସଦସ୍ୟମାନେ ମତ ବ୍ୟକ୍ତ କରିଥିଲେ ।


