ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ପେନସନ୍ ଅଭିଯୋଗ ବିଭାଗରେ ଓଏସଡି ଥିବା ବରିଷ୍ଠ ଅଧିକାରୀ ନୀତେନ ଚନ୍ଦ୍ରଙ୍କୁ ରାଜ୍ୟ ସର୍ବ ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହି ପଦବିକୁ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାକୁ ଉନ୍ନୀତ କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏହି ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଉଥିଲେ । ୨୦୧୪ ବ୍ୟାଚ ଅଧିକାରୀ ତଥା ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଆଇଏଏସ୍ ଚଞ୍ଚଳ ରଣାଙ୍କୁ ମୟୂରଭଂଜ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଗଜପତି ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ରାଉରକେଲା ଏଡିଏମ୍ ଭାବେ ବଦଳି କରାଯାଇଛି । ୨୦୧୬ ବ୍ୟାଚ୍ ଆଇଏଏସ୍ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁଶାସନ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । ସେ ଜାତୀୟ ସ୍ୱାସ୍ଥ୍ୟ ମିସନର ଓଏସଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୨୦୧୭ ବ୍ୟାଚ ଆଇଏଏସ୍ ତଥା ଓମଫେଡ୍ ମୁଖ୍ୟ ମହାପ୍ରବନ୍ଧକ ସୋମେଶ କୁମାର ଉପାଧ୍ୟାୟ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହି ବ୍ୟାଚର ଅଧିକାରୀ ତଥା ଓଡ଼ିଶା ଖଣି ନିଗମ କାର୍ଯ୍ୟନିର୍ବହୀ ନିର୍ଦେଶକ ପି ଅନ୍ୱେଷା ରେଡ୍ଡିଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ତୁଲାଇବେ ।


