ଶ୍ରୀରାମ ନବମୀ : ଶ୍ରୀ ବାଲରାମୁଡୁ ମନ୍ଦିରରେ ପଞ୍ଚଧାତୁ ମୂର୍ତ୍ତି ପ୍ରତିଷ୍ଠା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲେରେ ଶ୍ରୀରାମ ନବମୀ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଛି । ପାରଳା ସହରର କେଉଟ ସାହି ଠାରେ ଥିବା ଶତାୟୁର ଶ୍ରୀ ବାଲରାମୁଡୁ ଶ୍ରୀରାମ ମନ୍ଦିରରେ ଆଜି ପଞ୍ଚଧାତୁ ନିର୍ମିତ ଏକ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି ଏହି ବିଗ୍ରହଟି ପଡୋଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବୁଡୁତି ଗ୍ରାମରେ ନିର୍ମାଣ କରାଯାଇ ଥିଲା । ଶ୍ରୀ ବାଲରୁମୁଡୁ ମନ୍ଦିରଟି ଶତାଦ୍ଦିକ ବର୍ଷ ତଳେ କେଉଟ ସାହି ଠାରେ ଉକ୍ତ ସାହି ବାସିନ୍ଦା ସ୍ୱର୍ଗତ କୋଟା ରାମାନାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ତାପର ଠାରୁ ରାମାନାଙ୍କ ପୁଅ କୋଟା ସନ୍ୟାସି ଏବଂ ତାଙ୍କ ପରିବାରର କୋଟା ପ୍ରସାଦ ପ୍ରମୁଖଙ୍କ ଦ୍ୱାରା ଏହି ମନ୍ଦିରଟି ଚାଲୁ ରହିଛି । ଆଜି ହୋମ ଯଜ୍ଞ, ମନ୍ତ୍ରପାଠ ଆଦିରେ ପଞ୍ଚଧାତୁ ନିର୍ମିତ ଶ୍ରୀ ରାମ ଚନ୍ଦ୍ରଙ୍କ ନୂତନ ବିଗ୍ରହକୁ ପ୍ରତିଷ୍ଠା କରାଯାଇଥିଲା । ସେହିପରି ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପବିତ୍ର ରାମନବମୀ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସହରରେ ଶ୍ରଦ୍ଧାଳୁ ତଥା ଭକ୍ତମାନେ ମନ୍ଦିର ଗୁଡିକରେ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା । ଭକ୍ତିର ସହ ମନ୍ଦିର ପରିସର ବାହାରେ ଦୀପ ଓ ଭୋଗରାଗ ଲଗାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସକାଳୁହିଁ ବିଭିନ୍ନ ଫଳ ଓ ଫୁଲଦୋକାନରେ ଭିଡ ଦେଖିବାକୁ ମିଳିଥିଲା । ସମସ୍ତ ଶ୍ରଦ୍ଧାଳୁମାନେ ସକାଳୁହିଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପ୍ରକାର ଫୁଲସହ ନଡିଆ, କଦଳୀ ଇତ୍ୟାଦି କିଣୁଥିବାର ଦେଖିବାକୁ ମିଳିଥିଲା । ରାମନବମୀ ଦିନ ବିଭିନ୍ନ ପରିବାର ଗୁଡିକରେ ବ୍ରତ ଉପବାସ କରିଥିବା ଯୋଗୁଁ ଆଜି ଦହି ଏବଂ ମିଠା ଦୋକାନ ଗୁଡିକରେ ଭିଡ ମଧ୍ୟ ଦେଖିବାକୁ ମିିଳିଥିଲା । ସକାଳ ୬ଘଣ୍ଟାରୁ ସହରର ବିଭିନ୍ନ ସ୍ଥାନରେଥିବା ରାମମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନେପୂଜାର୍ଚ୍ଚନା କରିବାସହ ସେଠାରେ ନିଜର ପରିବାରପାଇଁ ମଙ୍ଗଳ କାମନା କରୁଥିବା ଦେଖିବାକୁ ମିଳିଥିଲା । ରାମନବମୀ ହିନ୍ଦୁ ସମାଜର ଏକ ପବିତ୍ର ପର୍ବ ଯାହାକୁ ପ୍ରତ୍ୟେକ ହିନ୍ଦୁପରିବାରର ମାନ୍ୟତା ଦିଆଯାଇଥାଏ । ଏହି ଦିନ ବ୍ରତ ଉପବାସ କଲେ ପରିବାରର ମଙ୍ଗଳ ହୋଇଥାଏ ଏବଂ ବର୍ଷ ତମାମ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପୌରାଣିକ ବିଶ୍ୱାସ ରହି ଆସିଛି । ସହରରେଥିବା ମୁଖ୍ୟବଜାର ଛକ ନିକଟସ୍ଥ ରାମମନ୍ଦିର, ପୌରପରିଷ ସମ୍ମୁଖ ରାମମନ୍ଦିର, ଏର୍ଦଲାସାହି ଠାରେ ଥିବା ରାମମନ୍ଦିର ଏବଂ ସହର ଉପକଣ୍ଠସ୍ଥ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ରହିଥିବା ରାମମନ୍ଦିର ଗୁଡିକରେ ପବିତ୍ର ଶ୍ରୀରାମ ନବମୀ ଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଥିବାର ଦେଖିବାକୁ ମିଳିଥିଲା । ସେହିପରି ଗଜପତି ଜିଲ୍ଲାର ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା ଓ କାଶୀନଗର ଆଦି ୭ଗୋଟି ବ୍ଲକରେ ରହିଥିବା ବିଭିନ୍ନ ରାମ ମନ୍ଦିରରେ ରାମନବମୀକୁ ଆଜି ଅତ୍ୟନ୍ତ ଆଡମ୍ବର ଓ ଭକ୍ତିପୂତ ସହକାରେ ପାଳନ କରାଯାଇଥିବା ସୂଚନା ମିଳିଛି ।


