ପ୍ରତିଶୃତି ପରେ ମଧ୍ୟ ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେବା, ଦାବିପତ୍ର ଦେବା, ରାସ୍ତାରୋକ କରି ପ୍ରତିବାଦ ଜଣାଇବା ଏବଂ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଇବା ପରେ ମଧ୍ୟ ପ୍ରଶାସନ ଶୁଣିଲାନି. ରାସ୍ତା ସମସ୍ୟାର ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ନିଜେ ହାତକୁ କୋଦାଳ ଗଇଁତି ଧରି ରାସ୍ତା ନିର୍ମାଣ କରିଛନ୍ତି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ର ମିନିଗାଁଗୁଡା ଗ୍ରାମର ଗ୍ରାମବାସୀମାନେ ବହୁ ମାସ ମାସ ଧରି ଅପେକ୍ଷା କଲେ. ତଥାପି ପ୍ରଶାସନ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଲୋକେ ନିଜ ସମସ୍ୟାର ସମାଧାନ ପାଇଁ ନିଜେ ରାସ୍ତା ତିଆରି କଲେ. ଏହି ସମସ୍ୟା କେବଳ ଗୋଟିଏ ଗ୍ରାମର ଯାତାୟାତ ସମସ୍ୟାର କାହାଣୀ ନୁହେଁ; ବରଂ ଗ୍ରାମାଞ୍ଚଳର ମୌଳିକ ସୁବିଧା ପ୍ରତି ପ୍ରଶାସନିକ ଅବହେଳାର ଏକ ନଗ୍ନ ଚିତ୍ର ଅଞ୍ଚଳରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ସୂଚନା ଅନୁଯାୟୀ, ମିନିଗାଁଗୁଡା ଗ୍ରାମକୁ ରାଜ୍ୟ ରାଜପଥ ସହ ସିଧାସଳଖ ସଡ଼କ ସଂଯୋଗ ନଥିବାରୁ ଦୀର୍ଘଦିନ ଧରି ଗ୍ରାମବାସୀ ଅସହ୍ୟ ଦୁର୍ଦ୍ଦଶା ଭୋଗୁଥିଲେ। ବର୍ଷା ଦିନରେ ଏହି ଗ୍ରାମଟି ପ୍ରାୟତଃ ବିଚ୍ଛିନ୍ନ ହୋଇଯାଉଥିଲା। ରୋଗୀଙ୍କୁ ହସ୍ପିଟାଲକୁ ନେବା, ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯାତାୟାତ, ଚାଷୀ ଫସଲ ବଜାରକୁ ନେବା ସହ
ପ୍ରତ୍ୟେକ ଦୈନନ୍ଦିନ କାମରେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ବହୁବାର ବ୍ଲକ୍ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ଜଣାଇଥିଲେ। ଗ୍ରାମବାସୀଙ୍କ କହିବାନୁସାରେ, ଦୁଇ ଦୁଇଥର ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନ ବେଳେ ପୂର୍ବତନ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ। କିନ୍ତୁ ସେହି ପ୍ରତିଶ୍ରୁତି ପାଳନ କରାଗଲା ନାହିଁ. ତେଣୁ ଲୋକେ ମିଳିତ ଭାବେ ଶ୍ରମ ଦାନ କରି ରାସ୍ତାଟି ନିର୍ମାଣ କଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ