ସିଡ୍‌ସ ବଲ୍‌ରେ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ : ବନୀକରଣ ପାଇଁ ଅଣ୍ଟା ଭିଡ଼ିଲେ ଦୃଷ୍ଟିବାଧିତ ବିଦ୍ୟାର୍ଥୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସେମାନେ ଦୁନିଆକୁ ଦେଖିପାରନ୍ତି ନାହିଁ କିନ୍ତୁ ଦୁନିଆକୁ ଆଲୋକିତ କରିବା ପାଇଁ ସେମାନଙ୍କ ମନ ଓ ହୃଦୟରେ ଦୃଢ ମନୋବଳ, ଆଗ୍ରହ, ଅମାପ ଆତ୍ମବିଶ୍ୱାସ ଓ ପ୍ରୟାସର ଭରପୁର ଶକ୍ତି ରହିଥାଏ, ଯାହା ଦେଖିବାକୁ ମିଳିଛି ଭୁବନେଶ୍ୱର କଳିଙ୍ଗ ନଗରଠାରେ ଆୟୋଜିତ ସିଡ୍‌ସବଲ୍ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ । ସେମାନେ ସବୁଜ ବଳୟକୁ ଦେଖିପାରୁ ନଥିଲେ ମଧ୍ୟ ଉଜୁଡ଼ା ପରିବେଶକୁ ସବୁଜିମା ଭରା କରିବା ପାଇଁ ମନରେ ପ୍ରବଳ ଉତ୍କଣ୍ଠା ସହ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି କିଛି ଦୃଷ୍ଟିବାଧିତ ବିଦ୍ୟାର୍ଥୀ । ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସର୍ବମୋଟ ୧୫ଜଣ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ମାଟି, ଜୈବିକ ସାର, ମଞ୍ଜିକୁ ବ୍ୟବହାର କରି ପ୍ରାୟ ୧ ଘଣ୍ଟା ମଧ୍ୟରେ ପାଖାପାଖି ୧ ହଜାର ସିଡ୍‌ସ୍‌ବଲ ପ୍ରସ୍ତୁତ କରିପାରିଛନ୍ତି । ଉଜୁଡ଼ି ଯାଇଥିବା ସବୁଜିମାକୁ ପୁଣିଥରେ ସବୁଜିମାମୟ କରିବା ପାଇଁ ସିଡ୍‌ସବଲ ପ୍ରକ୍ରିୟା ହେଉଛି ଏକ ସହଜ, ସରଳ ମାଧ୍ୟମ । ସ୍ୱଳ୍ପଖର୍ଚ୍ଚ ଓ କମ୍ ପରିଶ୍ରମରେ ପ୍ରଭାବୀ ବନୀକରଣ ଏହାଦ୍ୱାରା ସମ୍ଭବ ହୋଇପାରିଥାଏ । ପ୍ରସ୍ତୁତ ସିଡ୍‌ସବଲ ଗୁଡ଼ିକୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଜଙ୍ଗଲର ଖାଲିଥିବା ସ୍ଥାନରେ ବର୍ଷାଋତୁ ଆସିବା ପୂର୍ବରୁ ପକାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ସାମିଲ୍ କରାଯିବାର ଲକ୍ଷ୍ୟ ରହିଛି ବୋଲି ସୁଶାନ୍ତ କହିଛନ୍ତି । ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ଏତାଦୃଶ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ