୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ ନିର୍ମାଣ ହେବ ହୋଲସେଲ ବଜାର । ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି । ଏହି ଅର୍ଥ ନିୟନ୍ତ୍ରିତ ବଜାର କମିଟି ତା’ର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବ । ପରେ କେନ୍ଦ୍ର ସରକାର ଏହି ଅର୍ଥ ବହନ କରିବେ । ଏଥିପାଇଁ ୩୨ଟି ଗୋଦାମ ଗୃହ ନିର୍ମାଣ ହେବ । ଏହି ଗୋଦାମ ଗୃହରେ ଚାଷୀମାନେ ଅମଳ କରୁଥିବା ପନି ପରିବା ଓ ସାମଗ୍ରୀ ମହଜୁଦ ହୋଇ ରହିବ ବୋଲି କହିଛନ୍ତି ନିୟନ୍ତ୍ରିତ ବଜାର କମିଟିର ନିର୍ବାହୀ ଅଧିକାରୀ ଅଜୟ କୁମାର ରାଉତ । ସେ କହିଛନ୍ତି ଚାଷୀମାନଙ୍କ ସୁବିଧା ପାଇଁ ଏହା କରାଯାଉଛି । ସେହିପରି ଏହା ପରିସରରେ ୩ କୋଟି ଟଙ୍କା ବ୍ୟୟରେ ଏକ ଦୈନନ୍ଦିନ ବଜାର ମଧ୍ୟ ନିର୍ମାଣ କରାଯିବ । ସେଥିପାଇଁ ୮୦ଟି ଦୋକାନ ଗୃହ ନିର୍ମାଣ ହେବ । ଏହା ପରିସରରେ ଚାଷୀମାନେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରିପାରିବେ । ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଜାତୀୟ କୃଷି ବଜାର ଯୋଜନାରେ ୨ କୋଟି ଟଙ୍କା ବ୍ୟୟରେ ସୁନ୍ଦର ରାସ୍ତା ନିର୍ମାଣ ହେବାର ପ୍ରସ୍ଥାବ ରହିଛି । ଯାହା ଫଳରେ ଗାଡି ମଟର ଚାଷୀଙ୍କ ଜିନିଷ ନେଇ ଯିବା ଆସିବା କରିପାରିବ । ଏଥିସହ ଗ୍ରାହକମାନେ ମଧ୍ୟ ଗାଡିମଟର ନେଇ ଯିବା ଆସିବା କରିବା ସୁବିଧା ହେବ । ୧୯୭୯ ମସିହାରେ ଏହି ନିୟନ୍ତ୍ରିତ ବଜାର କମିଟି ଗଠନ କରାଯାଇଥିଲା । ଏଥିପାଇଁ ୧୯୮୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏହା ସହର ଠାରୁ ଦୂରରେ ହୋଇଥିବାରୁ ଲୋକମାନେ ଏହା ପରିସରକୁ ପନି ପରିବା ସମେତ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଆସିବାକୁ ସମସ୍ୟାରେ ପଡୁଛନ୍ତି । ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହିପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ରାଉତ କହିଛନ୍ତି ।


