ଜାନକୀ ବାବୁ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ଥିଲେ : ବାଚସ୍ପତି ଡଃ ପାତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସପ୍ତମ ଶ୍ରାଦ୍ଧ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ, ଓଡ଼ିଶାରେ ଯେଉଁ କେତେଜଣ ବିଚକ୍ଷଣ ରାଜନେତା ଜନ୍ମ ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜାନକୀ ବାବୁଙ୍କ ସ୍ଥାନ ଦ୍ୱିତୀୟରେ ରହିବ । ସେ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ଥିଲେ । ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ସେ ସାଧାରଣ ଜନତାର ଦୁଃଖକୁ ହୃଦୟଙ୍ଗମ କରୁଥିଲେ । ଛାତ୍ର ଓ ଯୁବକମାନଙ୍କ ଦ୍ୱାରା ଅସାଧ୍ୟ ସାଧନ ହୋଇପାରିବ ବୋଲି ସେ ଦୃଢତାର ସହ କହୁଥିଲେ । ପ୍ରଜାତନ୍ତ୍ରରେ ସମ୍ପାଦକ ଥିବାବେଳେ ସେ ହିଁ ୧୯୬୪ରେ ଛାତ୍ର ଆନ୍ଦୋଳନକୁ ପରୋକ୍ଷରେ ପରିଚାଳନା କରୁଥିଲେ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିରେ ତାଙ୍କର ଅଙ୍ଗିକାର ବଦ୍ଧତାକୁ ଓଡ଼ିଆଜାତି ଭୁଲିପାରିବ ନାହିଁ । ଜଣେ ସଂସ୍କୃତ ବିଦ୍ୱାନ ଭାବରେ ସେ ସମଗ୍ର ଭାରତବର୍ଷରେ ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମାନ ପାଉଥିଲେ । ଛାତ୍ର ଓ ଯୁବକମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ କରିବା ପାଇଁ ସେ ତାଙ୍କ ଶାସନ ସମୟରେ ଅନେକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଥିଲେ । ବିଶିଷ୍ଟ ଅତିଥି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ଜାନକୀ ବାବୁଙ୍କ ଶାସନ କାଳକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ବୋଲି ବର୍ଣ୍ଣନା କରିଥିଲେ । କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ବାଲିରେ ଆଳୁଚାଷର ପରୀକ୍ଷା କରାଇଥିଲେ । ସେ ୪୬ଗୋଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ସେହିଭଳି ଜଳସେଚନକୁ ସବୁଠାରୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତବର୍ଷର ଅନନ୍ୟ ସଂସ୍କୃତ ବିଦ୍ୱାନ, ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ଜାନକୀବାବୁଙ୍କ ପୂଜ୍ୟପିତା ଗୋକୁଳାନନ୍ଦ ଭଗବାନ ରାମଙ୍କ କୃପାରୁ ପୁତ୍ରଲାଭ କରିଥିଲେ । ଜାନକୀ ବାବୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପିତ ପ୍ରାଣ ଥିଲେ । ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ଶ୍ରୀମନ୍ଦିରରେ ପ୍ରଥମକରି ହୁଣ୍ଡି ସ୍ଥାପନ କରିଥିଲେ । ସଂସ୍କୃତ ଓ ସେବାୟତଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଜାନକୀ ବାବୁଙ୍କ ସୁପୁତ୍ର ପୃଥୀବଲ୍ଲଭ ପଟ୍ଟନାୟକ କହିଲେ ଯେ, ଦୀର୍ଘ ୭ ବର୍ଷ ପରେ ମୋର ପୂଜ୍ୟ ପିତାଙ୍କ ପ୍ରତି ଆପଣମାନଙ୍କ ଭଲ ପାଇବା ମୋତେ ଅଭିଭୂତ କରିଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ସ୍ୱର୍ଗତ ପଟ୍ଟନାୟକଙ୍କର ପାଣ୍ଡିତ୍ୟ, ଜ୍ଞାନ ତଥା ରଜାନୈତିକ ବିଚକ୍ଷଣତାକୁ ଯଦି ବିଚାର କରିବେ, ତେବେ ସେ ଭାରତବର୍ଷର ରାଷ୍ଟ୍ରପତି ହେବା କଥା । କିନ୍ତୁ ସେ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ । ସବୁବେଳେ ସେ ଖୁସି ରହିଥାନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ଅବସରରେ, ରାଜ୍ୟ ସରକାର ଓଡ଼ିଶାର ଜଣେ ୧୪ବର୍ଷ ଶାସନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ମୃତିରକ୍ଷା କରିବାରେ ଅକ୍ଷମଣୀୟ ଅପରାଧ କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ୭ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଉଥିଲେ ମଧ୍ୟ ଚୁପ୍‌ର କାରଣ ବୁଝା ପଡ଼ୁନାହିଁ । ଶେଷରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ସମାଜସେବା କ୍ଷେତ୍ରରେ ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ମହାନ୍ତି, ସାହିତ୍ୟିକ ଇଂ ପ୍ରଭାକର ସ୍ୱାଇଁଙ୍କୁ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଓ ସାମ୍ବାଦିକ ଅଶୋକ ପଣ୍ଡାଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୨ରେ ମୁଖ୍ୟଅତିଥି ମାନନୀୟ ବାଚସ୍ପତି ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ