ଖବର ଦେଲାନି ବ୍ଲକ ପ୍ରଶାସନ : ଅଭିଯୋଗ କମ୍ ଆସିଲା

ବନ୍ତ, (ଚାନ୍ଦିନୀ ମହାନ୍ତି) :-କୋଭିଡ୍ ପାଇଁ ଗତ ୨ ବର୍ଷ ହେବ ମିଳିତ ଜନଅଭିଯୋଗ ଶୁଣାଣୀ ବନ୍ଦ ଥିବା ବେଳେ ସୋମବାର ବନ୍ତ ବ୍ଲକରେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାତ୍ର ବ୍ଲକ ପ୍ରଶାସନ ଏହି ଜନଶୁଣାଣୀ ସଂପର୍କରେ କୌଣସି ନିର୍ବାଚିତ ଜନପ୍ରତିନିଧି, ଗଣମାଧ୍ୟମ କିମ୍ବା ସାଧାରଣଲୋକଙ୍କ ପାଖରେ ଖବର ପହଞ୍ଚାଇ ନଥିବା ଅଭିଯୋଗ ହୋଇଛି । ଫଳରେ ଆଜିର ଜନଶୁଣାଣୀରେ ୨୫ ପଞ୍ଚାୟତରୁ ମାତ୍ର ୨୭ଟି ହାତଗଣତି ଅଭିଯୋଗ ଆସିଛି । କେବଳ ସଦର ମହକୁମାରେ ଥିବା ଲୋକ ମାନେ ଏସଂପର୍କରେ ଖବର ପାଇ ବ୍ଲକରେ ପହଂଚି ଅଭିଯୋଗ କରିଥିଲେ । ବ୍ଲକ ପ୍ରଶାସନର ଏପରି ବେପରୁଆ ନୀତି ପାଇଁ ସାଧାରଣଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୨ ବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ହାତ ପାହାନ୍ତାରେ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ଲୋକ ମାନେ କୌଣସି ପୂର୍ବ ସୂଚନା ପାଇ ପାରିନଥିଲେ । ଏପରିକି କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସଂପର୍କରେ ସୂଚନା ଦିଆଯାଇନଥିଲା । ତଥାପି ଆଜି ବ୍ଲକ ପ୍ରଶାସନ ନିଜର ମନମାନୀରେ ଆୟୋଜିତ କରିଥିବା କାର୍ଯ୍ୟକ୍ରମରେ ଜିଲାପାଳ ତ୍ରିଲୋଚନ ମାଝୀ, ଜିଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନା, ଉପଜିଲାପାଳ ମନୋଜ କୁମାର ପାତ୍ର, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲା ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ବିଡିଓ ଶୁଭଦର୍ଶନ ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ଅଙ୍କିତା ବାରିକ, ସିଡିପିଓ ରେଣୁବାଳା ଦାଶ, ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇ, ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି, ପାନୀୟ ଓ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଜନଶୁଣାଣୀରେ ବିଶେଷ କରି ବିଦ୍ୟୁତ୍ କାଟ, ସ୍ଥାନ ଚିହ୍ନଟ, ଜବରଦଖଲ ଉଚ୍ଛେଦ, ଜମି ପଟ୍ଟା ପ୍ରଦାନ, ରାସନ କାର୍ଡ, ବନ୍ଦ ହୋଇଥିବା ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା, ପ୍ରଧାନମନ୍ତ୍ରୀ ଆବାସ, ବନ୍ତ କୋର୍ଟକୁ କାର୍ଯ୍ୟକ୍ଷମ କରିବା ଆଦି ୨୭ ଗୋଟି ଅଭିଯୋଗ ଆସିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ