ସରମରା ସମବାୟ ସମିତିର ପରିଚାଳନା କମିଟି ଭଙ୍ଗ

ବନ୍ତ,  (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରା ସେବା ସମବାୟ ସମିତିରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଓ ବିଭିନ୍ନ ଅନିୟମିତତା ଅଭିଯୋଗ ଘଟଣାରେ ଡିଆରସିଏସ ଦୁଃଖିଆ ଟୁଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭଦ୍ରକ ଏଆରସିଏସ ଅଫିସର ଏସଏଆରସିଏସ ସୁବ୍ରତ ଭୂଷଣ ତ୍ରିପାଠୀଙ୍କୁ ସମିତିର ପରିଚାଳନା ଦାୟିତ୍ୱ ଅର୍ପଣ କରାଯାଇଛି। ମଙ୍ଗଳବାର ଭଦ୍ରକ ଡିଆରସିଏସ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୨୧୬୩ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଦେଶନାମା ଅନୁଯାୟୀ, ସମିତିର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଚାଷୀ ପଞ୍ଜୀକରଣ ଏବଂ ଧାନ ସଂଗ୍ରହରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିସହ ସମିତିର ପରିଚାଳନା କମିଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। କମିଟି ପକ୍ଷରୁ ଦିଆଯାଇଥିବା ଜବାବ ସନ୍ତୋଷଜନକ ନ ଥିବା ଏବଂ ବିଭାଗୀୟ ନିର୍ଦ୍ଦେଶ ପାଳନରେ ଅବହେଳା ହୋଇଥିବା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି। ଆଦେଶରେ ପରିଚାଳନା କମିଟିର କାର୍ଯ୍ୟରେ ଅବହେଳା, ଆଇନ ଓ ସମିତିର ନିୟମାବଳୀ ଅନୁଯାୟୀ ଦାୟିତ୍ୱ ନିର୍ବାହ ନ କରିବା ଏବଂ ସମିତିର ସ୍ୱଚ୍ଛତା ଓ ସୁଶାସନ କ୍ଷେତ୍ରରେ ଗୁରୁତର ତ୍ରୁଟି ଥିବା ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ସମିତି ଓ ଏହାର ସଦସ୍ୟମାନଙ୍କ ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଦର୍ଶାଯାଇଛି। ପ୍ରକାଶ ଥାଉକି, ସମିତିରେ ଚାଷୀ ପଞ୍ଜୀକରଣରେ ଅନିୟମିତତା ଏବଂ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଦୀର୍ଘ ବର୍ଷ ଧରି ସମ୍ପାଦକ ଥିବା ନିତ୍ୟାନନ୍ଦ ନାୟକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ କାର୍ଯ୍ୟକଳାପକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଥିଲେ। ଉକ୍ତ ସେବା ସମବାୟ ସମିତିର ଚାଷୀ ଅକ୍ଷୟ ସେଠୀ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଡିଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମିତିରେ ଦୀର୍ଘ ମାସ ଧରି ଅଚଳାବସ୍ଥା ଲାଗି ରହିଥିବାରୁ ଚାଷୀମାନେ କୃଷି ଋଣ, ଧାନ ବିକ୍ରି ପାଇଁ ପଞ୍ଜୀକରଣ ଓ ଅନ୍ୟାନ୍ୟ ସେବା ପାଇବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅପରପକ୍ଷେ  ପରିଚାଳନା କମିଟି ଭଙ୍ଗ ପରେ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଅଭିଯୋଗର ତଦନ୍ତ କେବେ ଶେଷ ହେବ ଏବଂ ଦୋଷ ପ୍ରମାଣିତ ହେଲେ କେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ତାହା ଏବେ ଦେଖିବାକୁ ବାକି ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ