ପ୍ରକଳ୍ପ ସଂପର୍କୀତ ସୂଚନା ନାହିଁ : ଚାଲିଛି ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି) :-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକ ମାନଙ୍କ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି । ମାତ୍ର ଏହିର ଅର୍ଥର ସଦୁପଯୋଗ ସଠିକ୍ ଭାବେ ହେଉନଥିବା ପରିଲକ୍ଷିତ ହେଉଛି । ଠିକାଦାର ଟେଣ୍ଡର ପାଇବା ପରେ ନିଜ ମନମାନୀରେ କାର୍ଯ୍ୟ ଚଳାଇଛନ୍ତି । ଫଳରେ ସରକାରୀ ଅର୍ଥରେ ନିର୍ମିତ ହେଉଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କୁମ୍ଭାରିଆ ପି.ଡବ୍ଲ୍ୟୁ.ଡି ରାସ୍ତା ଠାରୁ ବରପଦା ଆର୍‌.ଡି ରାସ୍ତା ଭାୟା ରତାଗଢିଆ ୫ କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା କାର୍ଯ୍ୟ ଗତ କିଛି ମାସ ହେବ ଆରମ୍ଭ ହୋଇଛି । ନିର୍ମାଣସ୍ଥଳ ଆରମ୍ଭରେ ରାସ୍ତାର ନାମ ଓ ଦୈର୍ଘ୍ୟ ସଂପର୍କରେ ଫଳକ ଲାଗିଥିବା ବେଳେ ରାସ୍ତାର ଅଟକଳ ମୂଲ୍ୟ ଓ କି କି ପ୍ରକାରର କାର୍ଯ୍ୟ ହେବ ସେ ସଂପର୍କରେ କୌଣସି ସୂଚନା ନାହିଁ । ଫଳରେ ସାଧାରଣଲୋକେ ରାସ୍ତା ସଂପର୍କରେ କିଛି ଜାଣି ପାରୁନାହାନ୍ତି । ସେହିପରି କାର୍ଯ୍ୟ ଆରମ୍ଭସ୍ଥଳରେ ଟଣ୍ଣିଂ ପଏଣ୍ଟ ୱାଲ୍ ନିର୍ମାଣ କରାଯାଇନାହିଁ । କୁମ୍ଭାରିଆ ଗ୍ରାମ୍ୟ ପୋଖରୀ ନିକଟରେ କମ୍ ଉଚ୍ଚତାରେ ସୁରକ୍ଷା କାନ୍ଥ ନିର୍ମାଣ କରାଯାଇଛି । ଗୋବିନ୍ଦପୁର ଡିଷ୍ଟ୍ରିବ୍ୟୁଟରୀ ଠାରେ ଥିବା ପୋଲରେ ୱାଲ୍ ନିର୍ମାଣ କରାଯାଇନାହିଁ । ରାସ୍ତା ପାଶ୍ୱର୍ରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ବାଡକୁ ଉଠାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ରାସ୍ତା ଉପରେ ବିଶେଷକରି କୁମ୍ଭାରିଆ, ବାଲିଗଢିଆ, ଡାଳିମ୍ବଗଢିଆ, ରତାଗଢିଆ, ବରପଦା ଆଦି ଗ୍ରାମର ଲୋକ ମାନେ ନିର୍ଭର କରୁଛନ୍ତି । ତେବେ ଏପରି ନିମ୍ନମାନର କାର୍ଯ୍ୟ ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ