ମାର୍ଲବା ଗୁଡା ଘାଟିରେ ମ୍ୟାକ୍ସପିକଅପ ଦୁର୍ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଗୁଡାଘାଟି ଠାରେ ଏକ ମ୍ୟାକ୍ସପିକଅପ ଦୁର୍ଘଟଣା ଘଟି ୨୦ରୁ ଉର୍ଦ୍ଧ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲାର ସିନ୍ଧିବା ଗ୍ରାମରୁ ଓଡି ୦୭ଭି ୨୧୬୧ ନମ୍ବର ବିଶିଷ୍ଠ ଏକ ମ୍ୟାକ୍ସପିକ୍ଅପ୍ରେ ୪୦ ଗ୍ରାମବାସୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁମୁଳସିଂ ଗ୍ରାମ ଅଭିମୁଖେ ଯାଉଥିଲେ । ମାର୍ଲବା ଘାଟିରେ ଥିବା ଗୁଡାଘାଟିର ଏକ ବୁଲାଣିଆ ରାସ୍ତାରେ ବିପରିତ ପାଶ୍ୱର୍ରୁ ଅନ୍ୟ ଏକ ବୋଲେର ଗାଡି ଆସୁଥିବାର ଦେଖି ତାକୁ ରାସ୍ତା ଦେବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ମ୍ୟାକ୍ସ ପିକ୍ଅପ୍ ଗାଡିଟି ଓଲଟି ପଡିଥିଲା । ତେବେ ମ୍ୟାକ୍ସପିକଅପ୍ ଗାଡି ଅତ୍ୟାଧିକ ଦୃତଗତିରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବାର କୁହାଯାଉଛି । ଫଳରେ ଓଲଟିପଡିଥିବା ମ୍ୟାକ୍ସ ପିକଅପ୍ ଗାଡିରେ ଯାଉଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଉର୍ଦ୍ଧ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ରାୟଗଡ ପୋଲିସ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ କିଛି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଗୁରୁତ ଆହତ ମାନଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅନ୍ୟାନ୍ୟ ଯାନବାହାନରେ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ଘଟଣାକୁ ନେଇ ରାୟଗଡ ପୋଲିସ ତଦନ୍ତ ଜାରି ରଖିଥିବାର ଥାନା ସୂତ୍ରରୁ ପ୍ରକାଶ ।


