ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମର ଜିଲ୍ଲା ଟାସ୍କ ଫୋର୍ସ କମିଟିର ସମୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ଓ କନ୍ୟାଭୃଣ ହତ୍ୟା ଭଳି ଦୁଇଟି ସାମାଜିକ ସମସ୍ୟା କୁ ସମ୍ପୂର୍ଣ୍ଣ ରୂପେ ଜିଲ୍ଲାରୁ ଦୂର କରିବା ପାଇଁ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମ ନିର୍ଭୟା କଢି ଏବଂ ମୋ ଗେହ୍ଲା ଝିଅ ହାତକୁ ନିଆଯାଇଛି । ଏହି ଦୁଇଟି କାର୍ଯ୍ୟକ୍ରମ କେମିତି ଠିକ୍ ଢଙ୍ଗରେ କରାଯିବ ଓ ଏଥିରୁ ସୁଫଳ ମିଳିବ ଏ ଦିଗରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଏଥିରେ ଭାଗ ନେବାକୁ ଜିଲ୍ଲାପାଳ ଜଣାଇ ଥିଲେ । ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ନିର୍ଭୟାକଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ଆଦି ଭାଗ ନେଇ ପିଲା ମାନଙ୍କ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବୁଝାଇବେ । ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଦ୍ବାରା ବାଲ୍ୟ ବିବାହ ଓ କନ୍ୟା ଭୃଣହତ୍ୟା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଯେମିତିକି ବକ୍ତୃତା,ପ୍ରବନ୍ଧ ଲିଖନ, ଗୀତ, ନାଚ,ନାଟକ ଏବଂ ରାଲି ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଇବେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ଗୋଟିଏ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ରହୁଛି ତେବେ ସେମାନେ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବେ ଏବଂ ଏହା ତଦନ୍ତଭୁକ୍ତ ହେବ । ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରରେ ହେଉଥିବା ସମସ୍ତ ନିର୍ଭୟାକଢି କାର୍ଯ୍ୟକ୍ରମରେ କିଶୋରୀ ଝିଅ ମାନଙ୍କ ସହିତ ପୁଅ ମାନଙ୍କୁ ମଧ୍ୟ ସାମିଲ କରି ସେମାନଙ୍କୁ ମଧ୍ୟ ସଚେତନତା କରାଯିବ । ଜିଲ୍ଲାରେ ହେଉଥିବା ଶିଶୁ ଅଧିକାର ସମ୍ପର୍କିତ ଅଭିନବ କାର୍ଯ୍ୟକ୍ରମ ମାନଙ୍କର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ଡକ୍ୟୁମେଣ୍ଟେସନ୍ କରାଯିବ । ଜିଲ୍ଲାରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳିଲେ ପ୍ରଥମ ସୂଚନା ଦାତାଙ୍କୁ ଘୋଷଣା ହୋଇଥିବା ପଚାଷ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଛି । ଏ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ବାଲ୍ୟ ବିବାହ ବିରୁଦ୍ଧରେ କୁଳ ନେତା, ପୁରୋହିତ ଏବଂ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମୁଖ୍ୟ ମାନଙ୍କୁ ନେଇ ବାଲ୍ୟ ବିବାହ ଆଇନ୍ ସମ୍ପର୍କରେ ସଚେତନତା କରାଯିବ । ଯଦି ଏହାପରେ ମଧ୍ୟକେହି ଆଇନ୍ କୁ ଅମାନ୍ୟ କରନ୍ତି ତେବେ ଆଇନ୍ ଅନୁସାରେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ମାସର ସମସ୍ତ ଶନିବାର ଗ୍ରାମ ସ୍ତରରେ ଆୟୋଜିତ ହେବ ଏବଂ ମାସର ଶେଷ ଶନିବାର ଦିନ ଏହି କାର୍ଯ୍ୟକ୍ରମ ବ୍ଲକ୍ ସ୍ତରରେ ଆୟୋଜନ କରାଯିବ । କନ୍ୟାଭୃଣ ଚିହ୍ନଟ ହେଉଥିବା ଅନୁଷ୍ଠାନ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲ୍ୟ ବିବାହର ଖବର ମିଳିଲେ ବ୍ଲକ୍ ସ୍ତରରେ ସମସ୍ତ ଅଧିକାରୀ ଗଣ ସମସ୍ତ ବିଭାଗ ସହିତ ସମନ୍ବୟ ରକ୍ଷାକରି କେମିତି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିହେବ ସେ ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା । ଗୁଣି ଗାରେଡି ସନ୍ଦେହରେ ହେଉଥିବା ମହିଳା ମାନଙ୍କ ଉପରେ ହିଂସାକୁ ବନ୍ଦ କରିବା ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ର ନିତାନ୍ତ ଆବଶ୍ୟକତା ଅଛି ଏବଂ ଏହି ଦିଗରେ ସମସ୍ତ ଅଧିକାରୀଙ୍କୁ ଧ୍ୟାନ ଦେବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ । ଗୁଣି ଗାରେଡିକୁ ନେଇ ହିଂସା କାଣ୍ଡ ହେଉଥିବାର ପୂର୍ବ ସୂଚନା ଦେଲେ ସୂଚନା ଦାତାଙ୍କ ନାମକୁ ଗୋପନ ରଖାଯାଇ ପ୍ରଶାସନ ତରଫରୁ ଆର୍ଥିକ ପୁରସ୍କାର ଦେବାର ମଧ୍ୟ ଘୋଷଣା କରାଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଅତିରିକ୍ତ ସମାଜ ମଙ୍ଗ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ବତ ସାହୁ, ସମସ୍ତ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ