ଭଞ୍ଜନଗର ଖବରକାଗଜ ବିତରକମାନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ୱାରା ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ତା ୨୩-୧୨-୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ । ପଞ୍ଜିକୃତ କରାଯାଇଥିବା ସମସ୍ତ ଖବର କାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କ ଜାମଖାତାକୁ ୬୦୦୦ ଟଙ୍କା ଲେଖାଁ ପଠାଯାଇଥିଲା । ଏହା ସହିତ ସେମାନଙ୍କୁ ଅଣସଂଗଠିତ ଶ୍ରମିକଭାବେ ସାମିଲ କରାଯାଇଛି । ଏହା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟଅତିଥି ରୂପେ ଯୋଗଦେଇ ଖବରକାଗଜ ବିତରକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବି.ଡ଼ି.ଓ. ଶ୍ରୀ ଅନିଲ କୁମାର ସେଠୀ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସଞ୍ଜୟ କୁମାର ସାହୁ, ଭଞ୍ଜନଗର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଖବରକାଗଜ ବିତରକ ସଂଘର ସଭାପତି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଓ ମନୋଜ କର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ, ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ସମେତ ବହୁ ସାମ୍ବାଦିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।