ଆଜି ବିଶ୍ୱ ମାତୃଦିବସ ମାଆ ପରି ଗଛଟିଏ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ବିଶ୍ୱ ପାଳୁଛି ମାତୃ ଦିବସ । ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ ମାତୃ ଦିବସକୁ ଏକ ନିଆରା ଢଙ୍ଗରେ ପାଳି ସାରା ବିଶ୍ୱକୁ ଏକ ବଳିଷ୍ଠ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ବିଭିନ୍ନ ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ତିଆରିଛନ୍ତି ଏକ ହୃଦୟ । ହୃଦୟ ଭିତରେ ଗୋଟିଏ ମାତୃରୂପୀ ଗଛକୁ ସ୍ଥାନିତ କରି ଏହି ଅବସରରେ ଭକ୍ତିପୂତ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି । ସୁଶାନ୍ତ କୁହନ୍ତି-ମାଆ ପରି ଗଛଟିଏ । ମାଆ ମମତାମୟୀ, ବାତ୍ସଲ୍ୟମୟୀ । ସେ ଗୋଟିଏ ମଣିଷ । ଜାୟା, ଜନନୀ ଭଳି ତା’ର କେତେ ନାଁ । କେତେ ରୂପ । ସେ ହାତ ଧରି ବାଟ ଚାଲିବା ଶିଖାଇଥାଏ । ନିଜେ ଜଳି ସନ୍ତାନକୁ ଆଲୋକ ଦେଖାଇଥାଏ । ସେ ସହନଶୀଳ, ସ୍ନେହୀ । ଅଳି, ଅର୍ଦ୍ଦଳି ସବୁ ସେ ସହ୍ୟ କରେ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେ କେବେ ଅବହେଳା କରେନାହିଁ । ତା’ର ତ୍ୟାଗ ଅବର୍ଣ୍ଣନୀୟ । ନିଃସ୍ୱାର୍ଥପର ଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦିଏ ଅଜସ୍ର ସ୍ନେହ । ତା’ର ପଣତକାନି ସମସ୍ତ ବାଧାବିଘ୍ନରୁ ରକ୍ଷା କରିଥାଏ । ସେ ହେଉଛି ତ୍ୟାଗ ଓ ତପସ୍ୟାର ପ୍ରତୀକ । ଠିକ୍ ମାଆ ପରି ଗଛଟିଏ ବିଶ୍ୱର ପ୍ରତିଟି ସନ୍ତାନ ପାଇଁ ନିଃସ୍ୱାର୍ଥପର ଭାବେ ଅଜାଡ଼ି ଦେଇଥାଏ ସ୍ନେହ । ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ବହନ କରି ସଦା ସର୍ବଦା ସୁରକ୍ଷା କରିଥାଏ । ଉଭୟ ଜନ୍ମଦାତ୍ରୀ ଓ ମାତୃରୂପୀ ଗଛକୁ ଭଲ ପାଇବା ସହ ତା’ର ସୁରକ୍ଷା ପାଇଁ ଏହି ଶୁଭ ଦିବସରେ ପ୍ରତିଟି ସନ୍ତାନ ହୃଦୟତାର ସହ ଗୋଟିଏ ଲେଖାଏଁ ଗଛ ଲଗାଇ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ