ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସମେତ ଜିଲ୍ଲାସ୍ତରୀୟ ଏନ୍‌ଆର୍‌ଏଲ୍‌ଏମ୍ କମିଟି ବୈଠକ ଓ ଋଣଜମା ଅନୁପାତ ସ୍ୱତନ୍ତ୍ର ଉପ-କମିଟି ବୈଠକ ମଧ୍ୟ ହୋଇଯାଇଛି । ବୈଠକରେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରି ବ୍ୟାଙ୍କର୍ସ ମାନେ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଦିଆଯାଉଥିବା ବ୍ୟାଙ୍କ ସୁବିଧା, ମିଶନଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ଉପଯୁକ୍ତ ଲୋକଙ୍କୁ ଋଣ ପ୍ରଦାନ କରିବା ଉପରେ ବିଶେଷ ଗରୁତ୍ୱାରୋପ କରିଥିଲେ । ସେହିପରି ଅପହଞ୍ଚ ଇଲାକାରେ ବ୍ୟାଙ୍କ ସ୍ଥାପନ ବା ବ୍ୟାଙ୍କ ସୁବିଧା ପହଞ୍ଚାଇବା ଉପରେ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ୧୯ ଗୋଟି ବ୍ୟାଙ୍କର ୬୩ ଶାଖାର ତ୍ରୟମାସିକ ଲକ୍ଷ୍ୟ ଧାର୍ଯ୍ୟର ବିଭିନ୍ନ ସେକ୍ଟର ଯଥା କୃଷିଭିତ୍ତିକ, ପ୍ରାଥମିକ କ୍ଷେତ୍ର, ଅଣପ୍ରାଥମିକ କ୍ଷେତ୍ର ଆଦିର ପ୍ରତିଶତ ଲକ୍ଷ୍ୟ ପୁରଣ ହୋଇଥିବାର ଆଲୋଚନା ହୋଇଥିଲା । ସେହିଭଳି ଋଣଜମା ଅନୁପାତ ବୃଦ୍ଧି କରିବା ପାଇଁ ବ୍ୟାଙ୍କ ଏହି ଋଣ ପ୍ରଦାନ ଯୋଜନାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ପଦକ୍ଷେପ ନେବାକୁ ବ୍ୟାଙ୍କର୍ସ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ଅପହଞ୍ଚ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୟୁନିୟନ ବ୍ୟାଙ୍କର ରାୟଗଡା ଆଞ୍ଚଳିକ ମହାପ୍ରବନ୍ଧକ କୁବେର ମାଝୀ, ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କର ଏଲ୍‌ଡିଓ ମୋହିତ ଅଗ୍ରୱାଲ, ଗଜପତି ଜିଲ୍ଲା ନାବାର୍ଡ ଅଧିକାରୀ ପ୍ରତୀକ ପଣ୍ଡା, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଅଶ୍ୱିନୀ ଚନ୍ଦ୍ର ପାତ୍ର, ମଞ୍ଚାସୀନ ହୋଇ ଚାଷୀ ମାନଙ୍କୁ ଋଣ ପ୍ରଦାନ କରିବା, ବାର୍ଷିକ ଋଣ ଯୋଜନାରେ ପ୍ରତି ବ୍ୟାଙ୍କର ବ୍ରାଞ୍ଚ ମାନଙ୍କୁ ଦିଆଯାଉଥିବା ନିର୍ଦ୍ଧାରିତ ଲକ୍ଷ୍ୟ ପୁରଣ ଦିଗରେ କେଉଁ ଶାଖା କେତେ ପରିମାଣରର ଲକ୍ଷ୍ୟ ହାସଲ କରିଛନ୍ତି ସେ ସବୁର ଟିକିନିଖି ବିଶ୍ଳେଷଣ କରିଥିଲେ । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଇକ ବୈଠକ କାର୍ଯ୍ୟକ୍ରମରେ କାର୍ଯ୍ୟସୂଚୀ ପ୍ରକାରେ ସମସ୍ତ ଆଲୋଚନା ବିଷୟରେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ୟାଙ୍କର୍ସ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ