କେନାଲ ଯୋଗେ ବଂଶଧାରା ନଦୀ ଓ କୃଷ୍ଣ ସାଗରକୁ ଯୋଡିବା ପାଇଁ ଦାବୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ରଇତ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ସଂଘର ସଭାପତି ପ୍ରଶାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଦାବୀପତ୍ର ଦେଇଛନ୍ତି । ଉକ୍ତ ପତ୍ର ଅନୁଯାୟୀ କାଶୀନଗର ସହରର ଅଦୂରରେ କୃଷ୍ଣ ସାଗର ଜଳାଶୟ ରହିଛି । ପ୍ରାୟ ଶହେ ଏକର ଜମିରେ ଚାଷୀମାନଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ରାଜାମାନଙ୍କ ଶାସନ ସମୟରେ ଏହା ଖନନ କରାଯାଇଥିଲା । ଦୀର୍ଘ ସମୟ ଅତିବାହିତ ହୋଇ ସାରିଥିବା କାରଣରୁ ଜଳାଶୟଟି କ୍ରମଶଃ ଅଗଭୀର ହୋଇ ଗଲାଣି ଓ ଏହାର ଜଳାଧାରଣ କ୍ଷମତା କମି ଗଲାଣି । ତେଣୁ ଉକ୍ତ ସାଗର ପୁନଃ ଖନନର ଆବଶ୍ୟକତା ରହିଛି । ପୁନଃ ଖନନ ସହିତ ସୌନ୍ଦର୍ଯ୍ୟକରଣ ହୋଇ ପାରିଲେ ଏହା ବର୍ଷ ସାରା ଚାଷୀମାନଙ୍କୁ ଜଳ ଯୋଗାଇ ପାରିବ ଓ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରିବ । ଏହାଛଡା କେନାଲ ଯୋଗେ ବଂଶଧାରା ନଦୀ ସହ କୃଷ୍ଣସାଗରକୁ ସଂଯୁକ୍ତ କରିବାର ଆବଶ୍ୟକତା ବି ରହିଛି । ଉକ୍ତ କାର୍ଯ୍ୟ ସମ୍ଭବ ହୋଇ ପାରିଲେ ବଂଶଧାରୈ ନଦୀର ପାଣି ଉଲ୍ଲେଖିତ ଜଳାଶୟକୁ ଯାଇପାରିବ ଓ ଜଳାଶୟଟି ସବୁବେଳେ ପୂର୍ଣ୍ଣ ରହିବ । ଚାଷୀମାନେ ବିଭିନ୍ନ ଫସଲ କରିବା ପାଇଁ ଏଥିରେ ପାଣି ନେଇ ପାରିବେ । କାଶୀନଗର ଏନ୍ଏସିବାସୀଙ୍କ ବହୁ ଜମି ସହ ପାଖାପାଖି ଥିବା ପଞ୍ଚାୟତ ଗୁଡିକରେ ଥିବା ଅନେକ ଜମି ସକାଶେ ଆଉ ଜଳସେଚନର ସମସ୍ୟା ରହିବ ନାହିଁ । ତେଣୁ ସ ହୃଦୟତାର ସହିତ ଚାଷୀମାନଙ୍କ ସମସ୍ୟାକୁ ବିଚାର କରି ପ୍ରସାସନ ଶୀଘ୍ର ଅନୁକୂଳ ପଦକ୍ଷେପ ନେବ ବୋଲି ସଂଘର ସଭାପତି ଆଶା ପ୍ରକାଶ କରିଛନ୍ତି ।


