ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ଶିଶୁ ଶ୍ରମ ନିରାକରଣ, ଶିଶୁମାନଙ୍କ ଅଧିକାର ଏବଂ ବେଆଇନ ଭାବେ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜନ ପାଇଁ ଆଇନରେ ରହିଥିବା ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ“ ଆଜି ପୂର୍ବାହ୍ନରେ ସ୍ଥାନୀୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ରଥ ଜିଲ୍ଲାର ବିଭିନ୍ନ ସହରାଂଚଳ ଓ ବ୍ଲକ ଗସ୍ତ କରି ଲୋକମାନଙ୍କୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କରେ ସଚେତନ କରିବ । ୧୪ ବର୍ଷ ପୂର୍ଣ୍ଣ କରି ନ ଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତି ଏବଂ ପ୍ରକ୍ରିୟାରେ ତଥା ୧୫ ବର୍ଷରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ ବୃତି ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତବ୍ୟ ଅପରାଧ ହୋଇଥିବା ବେଳେ ଏପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ କାରାଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା ରହିଛି । କିଛି ଦିନର ସଚେତନତା କାର୍ଯ୍ୟକ୍ରମ ପରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଅଂଚଳରେ ଚଢଉ ଆରମ୍ଭ କରାଯାଇ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ବାସ୍ତବିକ୍ ସ୍ଥିତିର ଆକଳନ କରାଯିବା ସହିତ ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଅବସରରେ ଆମ ଜିଲ୍ଲା ତଥା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ