ଦ୍ୱାରଦେଶରେ ମୌସୁମୀ : ମୁକୁଳା କଣ୍ଟିଘାଇକୁ ନେଇ ଚିନ୍ତାରେ ତିନିଗୋଟି ବ୍ଲକବାସୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମୌସୁମୀ ଏବେ କେରଳ ଛୁଇଁଥିବା ବେଳେ ପ୍ରାୟ ରଜ ଭିତରେ ଏହା ଓଡିଶା ମୁହାଁ ହେବ । ସାଧାରଣତଃ ମୌସୁମୀ ଜନିତ ବର୍ଷାକୁ ନେଇ ଏବେଠାରୁ ନଦୀ କୂଳିଆ ଜନ ସାଧାରଣ ଆତଙ୍କିତ ହୋଇପଡିଲେଣି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ସାମାନ୍ୟ ବର୍ଷା ହେଲେ ବନ୍ୟା ଆସିବା ନିଶ୍ଚିତ ହୋଇଥାଏ । ବିଶେଷ କରି ନଦୀର ବାଲିପୋଖରୀ ଓ କଣ୍ଟି ଏସ୍କେପ ଯୋଗୁ ପ୍ରତ୍ୟକ ବର୍ଷ ଭଣ୍ଡାରିପୋଖରୀ ସମେତ ଧାମନଗର ଓ ଚାନ୍ଦବାଲି ବ୍ଲକ ଅଞ୍ଚଳର ଅର୍ଦ୍ଧାଧିକ ଅଂଶ ଜଳମଗ୍ନ ହୋଇଥାଏ । ସଂପ୍ରତି ବାଲିପୋଖରୀ ଏସ୍କେପର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁକୁଳା କଣ୍ଟି ଏସ୍କେପକୁ ନେଇ ଏବେ ହଜାର ହଜାର ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି । ପଡୋଶୀ ଯାଜପୁର ଜିଲ୍ଲା ପାର୍ଶ୍ୱ ନଦୀର ଡାହାଣ ପଟ ବନ୍ଧ ସଦୃଢ଼ୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବାମପଟ ନଦୀବନ୍ଧ ଦୁର୍ବଳ ରହିଛି । ଏହାଛଡା କଣ୍ଟି ଏସ୍କେପର ଉଚ୍ଚତା ବୃଦ୍ଧି ନହେବା ଓ ପୁରାତନ କାର୍ଯ୍ୟ ଶୈଳୀ ବନ୍ୟା ବିଭୀଷିକାର ପ୍ରମୁଖ କାରଣ ପାଲଟିବ ବୋଲି କୁହାଯାଉଛି । କଣ୍ଟି ଏସ୍କେପରେ ପ୍ରାୟ ୧୫ବର୍ଷ ପୂର୍ବେ କିଛି କଂକ୍ରିଟ କାର୍ଯ୍ୟ ସହିତ ପଥର ପ୍ୟାକିଂ କରାଯାଇଥିଲା । ସେବେଠାରୁ ଅଦ୍ୟାବଧି ଏଠାରେ କୌଣସି କାର୍ଯ୍ୟ ହୋଇନଥିବା ବେଳେ ନିର୍ମାଣାଧୀନ ପଥର ସ୍ପର ଓ ପ୍ୟାକିଂ ଏବେ ଭଗ୍ନ ଅବସ୍ଥାରେ । ବନ୍ୟା ଆସିଲେ କଣ୍ଟିଘାଇ ଦେଇ ବୈତରଣୀର ନିଷ୍କାସିତ ଜଳ ଖୋଳା ନାଳ ବାଟେ ପ୍ରଭାହିତ ହେବ । ଏହାଦ୍ୱାରା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ନପଙ୍ଗ, ମାଳଦା, କୁରିଗାଁ ଓ ଧାମନଗର ବ୍ଲକର ମୁସ୍ତାଫାପୁର, ଦୋବଲ, ଦଳାଙ୍ଗ, ବୟାଙ୍ଗଡ଼ିହି,ରାଧାବଲଭପୁର ପ୍ରମୁଖ ପଂଚାୟତ ସମ୍ପୁର୍ଣ୍ଣ ଜଳମଗ୍ନ ହେବ । ଏହାଛଡା ଚାନ୍ଦବାଲି ବ୍ଲକର କିଛି ପଂଚାୟତ ମଧ୍ୟ ଗଭୀର ପ୍ରଭାବିତ ହେବ । କଣ୍ଟିଘାଇ ବନ୍ୟା ପ୍ରକୋପରେ ଧାନ, ମୀନ ସହିତ ପନିପରିବା ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବ ବୋଲି କୁହାଯାଉଛି । ଏତଦବ୍ୟତୀତ ଅତ୍ୟଧିକ ବନ୍ୟାଜଳ ପ୍ରବାହିତ ହେଲେ କଚ୍ଚା ଘର ନଷ୍ଟ ହେବା ସହିତ ଗୋରୁ ଗାଈ ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବୈତରଣୀ ପ୍ରକୋପରୁ ବର୍ତ୍ତି ପାରିବେ ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଓ ଜନସାଧାରଣ କଣ୍ଟିଘାଇ ର ଉଚ୍ଚତା ବୃଦ୍ଧି ସହିତ ସ୍ଥାୟୀ ମରାମତି ପାଇଁ ଦାବି ଜଣାଉଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଯାଜପୁର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ତିନିଗୋଟି ବ୍ଲକ ବାସୀ ବିଭାଗୀୟ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଓଡିଶାକୁ ମୌସୁମୀ ଛୁଇଁବା ପୂର୍ବରୁ ଅନ୍ତତଃ ପକ୍ଷେ ବିପର୍ଯ୍ୟସ୍ତ ହୋଇପଡିଥିବା ପଥର ପ୍ୟାକିଂ ଓ ସ୍ପରକୁ ସଜାଡ଼ିବା ପାଇଁ ଦାବି ହୋଇଛି । ଏହା ଉପରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ କଣ୍ଟିଘାଇ ବନ୍ୟା ଦାଉରୁ ଲୋକମାନେ ବର୍ତ୍ତି ଯାଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ