ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା,ସଂସଦରେ ବିଜେଡି ଓ ଏନ୍ସିପି ସଭ୍ୟ ଶୃଙ୍ଖଳିତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବିଜେଡିର ଶୃଙ୍ଖଳିତ ଆଚରଣକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଏଥିସହିତ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି)ର କାର୍ଯ୍ୟଶୈଳୀକୁ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ରାଜ୍ୟସଭାର ଐତିହାସିକ ୨୫୦ତମ ଅଧିବେଶନରେ ସମ୍ବୋଧନ କରି ଏହି ଦୁଇ ଦଳର ସାଂସଦଙ୍କ ଠାରୁ ଅନ୍ୟମାନେ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୃହରେ ସମ୍ବୋଧନ କରିବା ସମୟରେ ବିଜେଡି ଓ ଏନ୍ସିପିକୁ ଉଦାହରଣ ଭାବେ ଦର୍ଶାଇଥିଲେ । ସେ କହିଥିଲେ ଯେ ଏହି ଦୁଇ ଦଳ ଗୃହର ମଧ୍ୟ ଭାଗକୁ ଆସି ହୋ’ହାଲ୍ଲା କରି ନ ଥା’ନ୍ତି । ଗୃହର କାର୍ଯ୍ୟରେ ବି କେବେ ବାଧା ସୃଷ୍ଟି କରନ୍ତି ନାହିଁ । ବରଂ, ଉଚିତ ଢଙ୍ଗରେ ସେମାନେ ଦାବି ଉପସ୍ଥାପନ କରିବା ସହିତ ସଂସଦର ନୀତିନିୟମକୁ ମାନିଥା’ନ୍ତି । ତାଙ୍କ ଦଳ (ବିଜେପି)ର ସଭ୍ୟମାନେ ମଧ୍ୟ ଏମାନଙ୍କ ଠାରୁ ଶିଖିବା ଉଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟସଭାରେ “ଚେକ୍ ଆଣ୍ଡ ବାଲାନ୍ସ’ ସିଦ୍ଧାନ୍ତ ଲାଗୁ ହେବା ଦରକାର । ଗୃହରେ ଅବରାଧ ସୃଷ୍ଟି ପରିବର୍ତ୍ତେ ଆଲୋଚନାର ରାସ୍ତା ବାଛିବା ଦରକାର । ଏହି ପ୍ରସଙ୍ଗରେ ସେ ବିଜେଡି ଓ ଏନସିପିର ଶୃଙ୍ଖଳିତ ଆଚରଣକୁ ଉଦାହରଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ଦଳ ନିଷ୍ପତ୍ତି ନେଇଥିଲେ ସେମାନେ କେବେହେଲେ ଗୃହର ମଧ୍ୟଭାଗ(ୱେଲ୍)କୁ ଯିବେନାହିଁ । ସେମାନେ କେବେହେଲେ ଏହି ନିୟମକୁ ଭାଙ୍ଗି ନାହାନ୍ତି । ୱେଲକୁ ନ ଯାଇ ବିଜେଡିର ବିକାଶର ଯାତ୍ରାରେ କେବେ ବି ଅବରୋଧ ଆସିନାହିଁ । ଏନସିପିର ମଧ୍ୟ କୌଣସି ରାଜନୈତିକ କ୍ଷତି ଘଟିନାହିଁ । ୱେଲକୁ ନ ଯାଇ ମଧ୍ୟ ଲୋକଙ୍କ ହୃଦୟ ଜିତି ପାରିବେ, ହି ଦୁଇ ଦଳ ପ୍ରମାଣ କରିଛନ୍ତି । ଆମ ସମସ୍ତଙ୍କୁ ଏଥିରୁ ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମେ ଯେତେବେଳେ ବିରୋଧୀ ଦଳରେ ଥିଲୁ, ଆମେ ମଧ୍ୟ ଏହି କାମ କରୁଥିଲୁ । ହେଲେ, ଆମକୁ ଶିଖିବାକୁ ପଡ଼ିବ । ଦୁଇ ଦଳ ଯେଉଁଭଳି ଭାବରେ ଉତ୍ତମ ଢଙ୍ଗରେ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଛନ୍ତି, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ରାଜ୍ୟସଭାର ସମସ୍ତ ସାଂସଦ ଟେବୁଲ୍ ବାଡ଼େଇ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାକୁ ଭାରତୀୟ ସଂଘୀୟ ବ୍ୟବସ୍ଥାର ଆତ୍ମା ବୋଲି କହିବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶ ଆଗକୁ ବଢ଼ିବ ବୋଲି କହିଥିଲେ । ରାଜ୍ୟର ବିକାଶ କେନ୍ଦ୍ରର କାର୍ଯ୍ୟ । ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ୱନ୍ଦ୍ୱୀ ନ ହୋଇ ସହଯୋଗୀ ହୋଇ କାମ କରିବାକୁ ମୋଦୀ ପରାମର୍ଶ ଦେଇଥିଲେ । ଆଲୋଚନାରେ ଭାଗ ନେଇ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ଦଳକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ତାଙ୍କ ଦଳ ଦ୍ୱାରା ଗୃହ କାର୍ଯ୍ୟରେ କୌଣସି ଅବରୋଧ ସୃଷ୍ଟି କରାଯିବ ନାହିଁ । ଗୃହ ପରିଚାଳନାରେ ଶୃଙ୍ଖଳିତ ଆଚରଣ ଜାରି ରଖିବାର ପ୍ରୟାସ ସହିତ ରାଜ୍ୟ ସ୍ୱାର୍ଥକୁ ସାଲିସ୍ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ । ଏହି ଅବସରରେ ସେ ଓଡ଼ିଶା ବିଧାନ ପରିଷଦ ଗଠନ ବିଲ୍କୁ ଶୀଘ୍ର ପାରିତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଶ୍ରୀ ଆଚାର୍ଯ୍ୟ ଆହୁରି ରାଜ୍ୟସଭାର ଅବଦାନ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଦେଶର ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ- ଇନ୍ଦିରା ଗାନ୍ଧୀ, ଏଚ୍ ଡି ଦେବଗୌଡ଼ା ଓ ଡକ୍ଟର ମନମୋହନ ସିଂହ ରାଜ୍ୟସଭାର ସଦସ୍ୟ ଥିଲେ । ରାଜ୍ୟସଭା ଓ ଲୋକସଭା ଉଭୟକୁ ଉଚ୍ଚ ସଦନ ବା ନିମ୍ନ ସଦନ ନ କହି ବରଂ ଉଭୟ ପରସ୍ପରର ପରିପୂରକ ବୋଲି କହିବା ଉଚିତ୍ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନାନୀତ ହେଉଥିବା ୧୨ ସଦସ୍ୟ ଚୟନରେ ରାଜନୈତିକ ହସ୍ତକ୍ଷେପ ନହେବା ଆବଶ୍ୟକ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ।


