ବରଫ ଅତଡ଼ା ଖସି ୪ ଯବାନଙ୍କ ସମେତ ୬ ମୃତ
ନୂଆଦିଲ୍ଲୀ: ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ସିଆଚୀନରେ ବରଫ ଅତଡ଼ା ଖସିବା ଯୋଗୁ ଭାରତୀୟ ସେନାର ୪ ଯବାନଙ୍କ ସହିତ ୨ ଜଣ ପୋର୍ଟରଙ୍କର ମୃତ୍ୟୁ ହୋଇଛି । ସୋମବାର ଅପରାହ୍ନରେ ସୀଆଚୀନର ବିପଦପୂର୍ଣ୍ଣ ଉତ୍ତରାଞ୍ଚଳ ସାଲଟୋରୋ ରିଜଠାରେ ଏହି ଅଘଟଣ ଘଟିଛି । ସୋମବାର ଅପରାହ୍ନ ପ୍ରାୟ ୩ଟାରେ ବରଫ ଅତଡ଼ା ଧସିଥିଲା । ଫଳରେ ପାଟ୍ରୋଲିଂ କରୁଥିବା ଡୋଗ୍ରା ରେଜିମେଣ୍ଟର ୮ ଜଣ ବରଫ ଗଦା ତଳେ ରହି ଯାଇଥିଲେ । ତୁରନ୍ତ ସେନାର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଯବାନମାନଙ୍କୁ ବରଫ ଅତଡ଼ା ତଳୁ ବାହାର କରାଯାଇ ହେଲିକପ୍ଟର ଯୋଗେ ନିକଟସ୍ଥ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ୪ ଜଣ ଯବାନଙ୍କ ସମେତ ୨ ଜଣ ପୋର୍ଟରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ବରଫ ତଳେ ଫସି ରହିଥିବା ଯବାନ ଓ ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ଅତ୍ୟଧିକ କମି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ସିଆଚୀନ ଗ୍ଲାସିୟରରେ ୧୯୮୪ ମସିହାରୁ ଆଜି ପର୍ଯ୍ୟନ୍ତ ବରଫ ଅତଡ଼ା ଧସିବା ଯୋଗୁ ୩୫ ଜଣ ଅଧିକାରୀଙ୍କ ସମେତ ୧୦୦୦ରୁ ଅଧିକ ଯବାନଙ୍କ ଜୀବନ ଗଲାଣି ।


