ଟାଟା କମ୍ପାନୀ ବିରୁଦ୍ଧରେ କାଳିପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନ ଷଷ୍ଠ ଦିନରେ
ଛତ୍ରପୁର, (ଦେବଦତ୍ତ ମହାରଣା) :- ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟ ଟାଟା କମ୍ପାନୀ ଅଧିକୃତ ଜମିରେ ଚାଲିଥିବା ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ ଗୁରୁବାର ଷଷ୍ଠ ଦିନରେ ପହଂଚିଛି । କାଳିପଲ୍ଲୀ ଗ୍ରାମବାସୀ ମାନେ ଆନ୍ଦୋଳନ ସ୍ଥଳରେ ନିଜ ଜିଦ୍ ରେ ଅଟଳ ରହି ବସି ରହିବା ସହ ସେଠାରେ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ତଥା ଜୁନ୍ ୧୭ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ଆନ୍ଦୋଳନ ସ୍ଥଳରେ ଗ୍ରାମର ମହିଳା ଓ ପୁରୁଷ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗ୍ରାମ କମିଟିର ସଭାପତି ମୁରଲି ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଗ୍ରାମର ସମସ୍ତ ଯୁବକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିବା ନିମନ୍ତେ ସ୍ଥିର କରାଯାଇଥିଲା । ଶୁକ୍ରବାର ଦିନ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଏକତ୍ର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଅନୁଷ୍ଠିତ ବୈଠକରେ ଯୋଗ ଦେବା ନିମନ୍ତେ ସର୍ବ ସମ୍ମତି କ୍ରମେ ସ୍ଥିର ହୋଇଛି । ବୈଠକ ପରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମ କମିଟିର ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତ । ସୂଚନା ଯୋଗ୍ୟ ଯେ, ଟାଟ କମ୍ପାନୀ ଇସ୍ପାତ କାରାଖାନା ପାଇଁ କାଳିପଲ୍ଲୀ ଓ ନିକଟସ୍ଥ ଅଂଚଳରେ ୧୯୯୬ ମସିହାରେ ଜମି ଅଧିଗ୍ରହଣ ହୋଇଥିଲା । ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଟାଟା କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ଅସନ୍ତୋଷ ଲାଗି ରହିଛି । ଏପରିକି, ଇସ୍ପାତ କାରାଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ନାଁ ରେ ବିଭିନ୍ନ କମ୍ପାନୀକୁ ଆଣି ଏଠାରେ ଟାଟା କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଏବେ କାଳିପଲ୍ଲୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀ ଠାରୁ ଲିଜ୍ ନେଇ ଦିପକ ଫର୍ଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ କାଳିପଲ୍ଲୀ ଗ୍ରାମବାସୀ ବିରୋଧ କରି ଶନିବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ନିଯୁକ୍ତି, ପରେ କାର୍ଯ୍ୟ ବୋଲି ନାରାବାଜି ଦେଇ ଗ୍ରାମବାସୀ ମାନେ ସେମାନଙ୍କ ଜିନ୍ଦରେ ଅଟଳ ରହିଛନ୍ତି । ଗ୍ରାମର ପ୍ରତି ଘରର ଜଣେ ଲେଖାଁଏ ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହ ବିଭିନ୍ନ ଦାବି ନେଇ ଗ୍ରାମବାସୀ ମାନେ ଆନ୍ଦୋଳନ ସ୍ଥଳରେ ଧାରଣା ଦେବା ସହ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି । ଟାଟା କମ୍ପାନୀ ପକ୍ଷରୁ ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ଜମି ଗୁଡିକ ଶାଗମାଛ ଦରରେ ନେଇଥିବା ବେଳେ ନିଯୁକ୍ତି ବଦଳରେ ଆମ ପ୍ରତି ବିଶ୍ୱାସ ଘାତକ କରିଛି ଟାଟା । ଯାହାକୁ ଆମେ କେବେ ହେଲେ ବରଦାସ୍ତ କରିବୁ ନାହିଁ । ଆମ ମାନଙ୍କର ଦାବି ପୂରଣ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ କଡା ଚେତାବନୀ ଦେଇଛନ୍ତି ।