ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଆଳି ଡାକବଙ୍ଗଳାରେ ପହଞ୍ଚିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସେଠାରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଉପସ୍ଥିତ ଥିଲେ । ବରିଷ୍ଠ ପୋଲିସ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ରାଜ୍ୟପାଳଙ୍କ ସୁରକ୍ଷା ପାଇଁ ମୃତୟନ ହୋଇଥିଲେ । ରାଜ୍ୟପାଳ ରାଜକନିକା ବ୍ଲକ ଅନ୍ତର୍ଗତ ମେଘାପୁର ଠାରେ ଶହୀଦ ସ୍ମୃତିସ୍ତମ୍ଭରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ ରାଜକନିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରଜା ଆନ୍ଦୋଳନର ଶତବାର୍ଷିକ ସ୍ମୃତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ କରି ଜୀବନ ଦେଇଥିବା ଶହୀଦମାନଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଆୟୋଜକଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମ ଇତିହାସରେ କନିକା ପ୍ରଜା ଆନ୍ଦୋଳନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସ୍ମୃତିସଭାରେ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାହିତ୍ୟିକ ହୁସେନ ରବି ଗାନ୍ଧୀ, ପ୍ରଜା ଆନ୍ଦୋଳନ ସ୍ମୃତି ସଂସଦର ସଭାପତି ଦାମୋଦର ଧଳ, ସମ୍ପାଦକ ଶୁକାନ୍ତ ଦାଶ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାସ ପ୍ରମୁଖ ଯୋଗଦେଇ ପ୍ରଜା ଆନ୍ଦୋଳନର ଇତିହାସ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ,ମ କେଉଁଝରର ଅଧ୍ୟାପିକା ଡଃ. ସୁଧା ଦାସ ମଞ୍ଚ ସଞ୍ଚାଳନ କରିଥିବା ବେଳେ କାଳି ପ୍ରସାଦ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ