ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ତରଫରୁ ୨ ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ରନ୍ଧା ଦେଶୀମଦ ଓ ଗଞ୍ଜେଇ ଜବତ କରିବା ସହ ପୋଚକୁ ନଷ୍ଟ କରାଯାଇଛି । ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ମୋଟର ସାଇକେଲ ଜବତ କରାଯାଇଛି । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଥାନା ଅନ୍ତର୍ଗତ ଝିଆମା, ଧନପଙ୍କା ଓ ମୋହନା ଗ୍ରାମ, ପାରଳାଖେମୁଣ୍ଡି ସହରର ପାରଳା ଜାଗିଲି ସାହି ଓ ଆର୍.ଉଦୟିଗରି ଥାନା ଅନ୍ତର୍ଗତ ପାରିବେଟା ଗ୍ରାମରେ ଚଢାଉ କରାଯାଇଥିଲା । ସେଠାରୁ ସମୁଦାୟ ୩୮୦ ଲିଟର ଚୋରା ଦେଶୀ ରନ୍ଧାମଦ, ୧୯କେଜି୧୦୦ ଗ୍ରାମ ଗଞ୍ଜେଇ, ୨ଟି ମୋଟର ସାଇକେଲ, ମଦ ପ୍ରସ୍ତୁତି ନିମନ୍ତେ ସରଞ୍ଜାମ ସହ ବ୍ୟବହୃତ ବହୁ ସାମଗ୍ରୀକୁ ଜବତ କରିବା ସହ ୨ହଜାର ୬ଶହ କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ପୃଥକ ଘଟଣା ଗୁଡିକରେ ମମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉରେ ଆର୍.ଉଦୟଗିରି ଅବକାରୀ ଥାନା ଏସ୍ଆଇ ଲିଙ୍ଗରାଜ କାର୍ଯୀ, ପାରଳାଖେମୁଣ୍ଡି ଅବକାରୀ ଥାନା ଓଆଇସି ଚିତ୍ତରଞ୍ଜନ ଜେନା ଓ ମୋବାଇଲ ସ୍କ୍ୱାର୍ଡ ଓଆଇସି କିଶୋର ଚନ୍ଦ୍ର ରଥ ଏବଂ ବହୁ ଅବକାରୀ କର୍ମଚାରୀ ସାମିଲ ଥିଲେ ।


