କବି କଳହଂସ ଗୋପାଳକୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳଖେମୁଣ୍ଡିର ଗୌରବ ଓଡ଼ିଶାର ଗର୍ଵ ରୀତି ଶ୍ରେଷ୍ଠ ବିଶିଷ୍ଟ ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର କୃତି ଗୋପାଳକୃଷ୍ଣ ପଦାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିଥିବେ । ଗୋପାଳକୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ପାଳନ ଉପଲକ୍ଷେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ସ୍ମୃତିଚାରଣ ସମାବେଶ ଆଜି ଅନୁଷ୍ଠିତ ହୋଇସାରିଛି । ଅନୁଷ୍ଠାନର ସଭାପତି ହରିମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଓ ସଂସ୍କୃତିକ ସମାବେଶରେ ଅନୁଷ୍ଠାନର ମୁଖ୍ୟ ତଥା ଉପଦେଷ୍ଟା ଡକ୍ଟର ଭୁବନେଶ୍ୱର ପଟନାୟକ ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ, ପ୍ରମୋଦ ଚନ୍ଦ୍ର ପାଢ଼ୀ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ବି.କମୋଳାଙ୍ଗୀ ଗୋପାଳକୃଷ୍ଣଙ୍କ ରଚିତ ସଂଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ଗାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ବାର୍ଷିକ ବିବରଣୀ ପାଠକର୍ଥିଲେ । ଅମ୍ଳIନ ପ୍ରତିଭାଧର ଗୋପାଳକୃଷ୍ଣଙ୍କ ନାମରେ ଚଳି ଆସୁଥିବା କରଣ ସାହି ବଦଳରେ ଗୋପାଳକୃଷ୍ଣ ସାହି ଭାବରେ ଗ୍ରହଣ କରି ପୋଷ୍ଟଲ ଯୋଗାଯୋଗ ରକ୍ଷା କରିବାପାଇଁ ନିବେଦନ କରାଗଲା। ମୁଖ୍ୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଶ୍ୱେତI ପଟନାୟକ, ପଣ୍ଡିତ ନରସିଂହ ଗୌଡ ଯୋଗଦେଇଥିଲେ । ଏହି ଅବସରରେ ଗଜପତିର ବିଶିଷ୍ଟ ମୃଦଙ୍ଗ ବାଦକ କଣ୍ଠ ଶିଳ୍ପୀ ଗୁରାଣ୍ଡି ବାସିନ୍ଦା ଗଣପତି ରାଉତଙ୍କୁ ଉପଢୌକନ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ମାନ ହୋଇଥିଲା । ଏଥିରେ ବିଜୟଲାଭ କରିଥିବା ଛାତ୍ର ଛତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ବ୍ରଜାନନ୍ଦ ପଟନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ନିତ୍ୟାନନ୍ଦ ଚୌଧୁରୀ,ବିଷ୍ଣୁ ଚରଣ ପଣ୍ଡା, ତ୍ରିପତି ପ୍ରସାଦ ପଣ୍ଡା,ମୂରଲୀଧର ପରିଛା,ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଆଜି ସକାଳସମୟରେ ସ୍ଥାନୀୟ ଗୋପାଳକୃଷ୍ଣ ପାଠାଗାର ପରିସରରେ ଥିବା କବି କଳହଂସ ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବାର ଦେଖିବାକୁ ମିଳିଥିଲା ।


