ଶିକ୍ଷକମାନଙ୍କ ଦରମା ବନ୍ଦ କରିବା ଅଯୁକ୍ତିକର, ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବାଲେଶ୍ୱର ଜିଲ୍ଲା ମହାବୀର ନୋଡ଼ାଲ ୟୁପି ବିଦ୍ୟାଳୟର ତୃତୀୟ ଶ୍ରେଣୀ ପିଲାମାନେ ପଣିକିଆ କହିପାରିଲେନି ବୋଲି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ଘଟଣାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ତୀବ୍ର ନିନ୍ଦା କରିବା ସହିତ ଏହାକୁ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଛି । ପିଲାମାନେ ପଣିକିଆ କହି ନପାରିବା ଓ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନପାରିବା ପାଇଁ ଶିକ୍ଷକ ଦାୟୀ ନୁହଁନ୍ତି, ବରଂ ସରକାର ନିଜେ ଦାୟୀ ବୋଲି ସଂଘ ଯୁକ୍ତି କରିଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନିତି ଓ ଆର୍ଥିକ ନିତି ଯୋଗୁ ରାଜ୍ୟରେ ପିଲାମାନେ ମାନସିକ ଅନଗ୍ରସର ଓ ଅଣମେଧାବୀ ହେଉଛନ୍ତି । ସରକାର ସମସ୍ତ ପିଲମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦେଇପାରୁ ନାହାଁନ୍ତି । ଅଭିଭାବକମାନଙ୍କର ଦାରିଦ୍ର‌୍ୟତା ଦୂର କରିପାରୁ ନଥିବାରୁ ଛାତ୍ରଛାତ୍ରୀମାନେ ମାନସିକ ଅନଗ୍ରସର ହେଉଛନ୍ତି ଓ ମେଧାଶକ୍ତି ହରାଉଛନ୍ତି । ପୁନଶ୍ଚ କରୋନା ଯୋଗୁ ୨ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କରୋନା ପାଇଁ ସରକାର ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି । ପଣିକିଆ କେଉଁ ଶ୍ରେଣୀର ପାଠ୍ୟକ୍ରମରେ ପଢାଯିବାର ବ୍ୟବସ୍ଥା ଅଛି ବୋଲି ସଂଘ ପ୍ରଶ୍ନ କରିଛି । ଗୋଟିଏ ପଟେ ସରକାର ଘରୋଇ ବିଦ୍ୟାଳୟକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବାରୁ ମେଧାବୀ ପିଲାମାନେ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି ଓ ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ପଢିବାକୁ ସୁଯୋଗ ଦେଉଛନ୍ତି । ବିଦ୍ୟାଳୟରେ ପଢୁଥିବା ସମସ୍ତ ପିଲାମାନଙ୍କ ମେଧାବୀ ଶକ୍ତି ସମାନ ନୁହେଁ । ଅନ୍ୟପଟେ ୭ ବର୍ଷ ଧରି ସରକାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିନଥିବାରୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ବିଦ୍ୟାଳୟରେ ନାହାଁନ୍ତି । କମ୍ ସଂଖ୍ୟକ ଶିକ୍ଷକମାନଙ୍କୁ ଅଧିକ ଅଣଶିକ୍ଷା କାର୍ଯ୍ୟରେ ସରକାର ନିୟୋଜିତ କରୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ସଠିକ୍ ଶିକ୍ଷାଦାନ କରିପାରୁ ନାହାଁନ୍ତି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ବଞ୍ôଚତ ହେଉଛନ୍ତି । ୨ ବର୍ଷ ଧରି ବିଦ୍ୟାଳୟ ଖୋଲାଯାଇ ନଥିବାରୁ ପିଲାମାନଙ୍କ ମନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି ସଠିକ୍ ଶିକ୍ଷାଦାନ କରିବା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି । ଶିକ୍ଷକମାନଙ୍କ ପ୍ରତି ଆକ୍ରମଣାତ୍ମକ ନହୋଇ ବରଂ ସହନଶୀଳ ହେଲେ ଅଧିକ ଲାଭଦାୟକ ହୋଇପାରିବ । ଡାକ୍ତରଖାନାରେ ଚିକିତ୍ସିତ ରୋଗୀର ରୋଗ ଭଲ ନହେଲେ ଡ଼ାକ୍ତର ଦାୟୀ ହେଉଛନ୍ତି କି କିମ୍ବା ନବନିର୍ମିତ ରାସ୍ତାରୁ ପିଚୁ ଉଠିଗଲେ ଯନ୍ତ୍ରୀର ଦରମା ବନ୍ଦ ହେଉଛିକି ବୋଲି ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରଶ୍ନ କରିଛନ୍ତି । ରାଜ୍ୟରେ ବିପର୍ଯ୍ୟୟ ଶିକ୍ଷା ପାଇଁ ସରକାର ନିଜକୁ ଦାୟୀ ନକରି ଶିକ୍ଷକମାନଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି । ମନ୍ତ୍ରୀ ମହୋଦୟ ତାଙ୍କ ନିଷ୍ପତ୍ତି ବଦଳାଇ ନିରୀହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ପ୍ରଦାନ କରିବାକୁ ସଂଘ ଦାବି କରିଛି । ଶିକ୍ଷକମାନଙ୍କୁ ଅଯଥା ଦାୟୀ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଗାମୀ ଦିନରେ ସମସ୍ତ ଶିକ୍ଷକମାନଙ୍କୁ ନେଇ ରାଜ୍ୟସାରା ଆନ୍ଦୋଳନ କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ଟୁଲୁ ଦେଇ, ଯୁଗ୍ମ ସାଧାରଣ ସମ୍ପାଦକ ସୁଦାମ ଦଳବରା, ରଶ୍ମୀ ରଞ୍ଜନ ଧଳ, ସୁଧାଂଶୁ ଭୂଷଣ ନାୟକ, ଅମରେନ୍ଦ୍ର ବାଗ, ଜନ୍ମେଜୟ ମାଝୀ, ଶ୍ରୀକାନ୍ତ ବାରିକ, ନରେଶ ପାତ୍ର, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ