ଭୀମପୁର କାନ୍ଥି ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ରସାଳପୁର ପଞ୍ଚାୟତର ଭୀମପୁର ଠାରେ ନବ ନିର୍ମିତ ୩୫୦ ବର୍ଷର କାନ୍ଥି ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗୁରୁବାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗ୍ରାମର ମହିଳାମାନଙ୍କୁ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୮ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଭୀମପୁର ବେବର୍ତ୍ତାସାହି ଚନ୍ଦନ ପୋଖରୀରୁ ସଂକଳ୍ପୀ ଓ ବ୍ରତୀ ମହିଳାମାନେ ଘଟ ଉତ୍ତୋଳନ ସହ ଗ୍ରାମ ପରିକ୍ରମା ପୂର୍ବକ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ । ଭଜନ, କୀର୍ତ୍ତନ, ଘଣ୍ଟ ଘଣ୍ଟା ସହ କଳସ ଶୋଭାଯାତ୍ରା ଶହ ଶହ ମହିଳା ପୁରୁଷ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଘଟ ସ୍ଥାପନ ପରେ ପ୍ରତିଷ୍ଠା ଉତ୍ସବର ଯଜ୍ଞ କମ ଆରମ୍ଭ କରାଯାଇଥିଲା । ପ୍ରସିଦ୍ଧ ଶୈବପୀଠ ମଣିନାଗେଶ୍ୱର ମହାଦେବ ମନ୍ଦିରର ମୁଖ୍ୟ ପୂଜକ ନିତ୍ୟାନନ୍ଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଷ୍ଠା ଉତ୍ସବ କର୍ମକାଣ୍ଡ କରାଯାଉଥିବା ବେଳେ ମନୋରଞ୍ଜନ ପାଣିଗ୍ରାହୀ ଯଜ୍ଞ କର୍ମର ଆଚାର୍ଯ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଶରତ ଚନ୍ଦ୍ର ପଣ୍ଡା, ଲକ୍ଷ୍ଣଣ କୁମାର ମିଶ୍ର, ପ୍ରଭାକର ଆଚାର୍ଯ୍ୟଙ୍କ ସମେତ ମା’ କାନ୍ଥି ମଙ୍ଗଳାଙ୍କ ନିତ୍ୟ ସେବକ ଭାବେ ଦେବେନ୍ଦ୍ର ନାଥ ନନ୍ଦ ଏଥିରେ ସହଯୋଗ କରୁଛନ୍ତି । ଆସନ୍ତା କାଲି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଓ ୨ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ଉତ୍ସବ କମିଟି ପକ୍ଷରୁ ଜଣାପଡ଼ିଛି । ମୁଖ୍ୟ ସଂକଳ୍ପୀ ପରମାନନ୍ଦ ଦାସ, ରଞ୍ଜିତା ଦାସ, ତୁଷାରକାନ୍ତି ଦାସ, ବିଦ୍ୟାଧର ପ୍ରଧାନ, ହେମନ୍ତ କୁମାର ଦାସ, ଭାସ୍କର ଚନ୍ଦ୍ର ଦାସ, ଚୌଧୁରୀ ଉଦ୍ଧବ କୁମାର ଦାସ, ସୁଜୟ କୁମାର ଦାସ, ସୁକାନ୍ତ କୁମାର ଦାସ, ପ୍ରଫୁଲ୍ଲ ପରିଡା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଏହି ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।