ବାହାଘର ବାଣ ପୁଟାଇବା ବେଳେ ଅଘଟଣ : ତିନି ନାବାଳକ ଗୁରୁତର
ଗଂଜାମ, (ବିନୋଦ ପଲାଇ) :-ରମ୍ଭା – ବାହାଘର ଶୋଭାଯାତ୍ରାରେ ବାଣଫୁଟାଇବା ବେଳେ ନ ଫୁଟିବା , ପରେ ଫୁଟିବା ବେଳେ ତିନି ବାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତିହେବା ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଯୁଡିଏସ ପୁର ପଞ୍ଚାୟତରେ । ଏହି ବ୍ଲକ ଅନ୍ତର୍ଗତ ଖଟିଆ ରାମଚନ୍ଦ୍ରପୁର ଗ୍ରାମର କାଳୁଚରଣ ଶତପଥୀ ଙ୍କ ଝିଅର ବାହାଘର ପାଇଁ ବ୍ରହ୍ମପୁର ଶକ୍ତି ନଗର ବାସିନ୍ଦା ଅପରାହ୍ନ ପ୍ରାୟ ତିନିଘଂଟା ସମୟରେ ବରଘର ଶୋଭାଯାତ୍ରା କରିଥିଲେ ଝିଅ ଘର ଗ୍ରାମରେ । ଏହି ଶୋଭାଯାତ୍ରାରେ ବାଣ ଫୁଟାଯାଇଥିବା ବେଳେ କିଛି ବାଣ ନ ଫୁଟି ରାସ୍ତାକଡରେ ପଡିରହିଥିଲା । ଏହି ସମୟରେ ଶୋଭାଯାତ୍ରା ଦେଖୁଥିବା ବାଳସିଂହ ପଲ୍ଲୀଗ୍ରାମର ଭଗବାନ ଦାଶ (୭ମଶ୍ରେଣୀ), ଦିପୁ ଦାଶ (୩ୟ ଶ୍ରେଣୀ), ଓଁ ଦାଶ (୩ୟ ଶ୍ରେଣୀ) ନଫୁଟି ଥିବା ବାଣ ପାଖକୁ ଯାଇ ନିଆଁ ଲଗାଇବା ମାତ୍ରେ ହଟାତ ଫୁଟିଯିବାରୁ ଗୁରୁତର ଆହତ ହୋଇ ପୋଡି ଯାଇଥିଲେ । ଖବର ପାଇ ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ ତ୍ରିପାଠୀ, ନାୟବ ସରପଞ୍ଚ ଶିଶିର କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଖଣ୍ଡୀଦେଉଳି ମେଡିକାଲ ପରେ ଛତ୍ରପୁର ଓ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଭଗବାନଙ୍କ ହାତ ଓ ମୁଁହ ପୋଡିଯାଇଥିବା ବେଳେ, ଦିପୁର ମୁଁହ ଏବଂ ଓଁଦାସର ମୁହଁ ପୋଡିଯାଇଥିବା ଜଣାପଡିଛି ।


