ସଦର ବିଜେପି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବିଜେପି ପକ୍ଷରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ ଦତ୍ତଙ୍କ ସମେତ ବରିଷ୍ଠ ନେତା ଗୌରାଙ୍ଗ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ, ଶ୍ରୀନିବାସ ମହାଳିକ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ରାଜେନ୍ଦ୍ର ଚାଟାର୍ଜୀ, ଭୀମକାନ୍ତ ତରେଇ, ଅଶୋକ ଖଟୁଆ, ପବନ କମିଳା, ପ୍ରତାପ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ରାଷ୍ଟ୍ରବାଦୀ ନେତାଙ୍କ ଜୀବନାଦର୍ଶ ଓ ଦେଶପ୍ରୀତିକୁ ମନେ ପକାଇଥିଲେ । ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବା ଏବଂ ରାଷ୍ଟୀୟ ଏକତା ତଥା ଅଖଣ୍ଡତା ବଜାୟ ରଖିବାରେ ଯାହାଙ୍କ ନାମ ସର୍ବାଗ୍ରେ ଆସେ ସେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ବୋଲି ବକ୍ତାମାନେ କହିଥିଲେ । ତାଙ୍କ ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ଚିହ୍ନ ଛାଡିଯାଇଛି । ବଙ୍ଗ ବିଭାଜନ ବେଳେ ଭାରତର ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପାଇଁ ସେ ଥିଲେ ଜଣେ ସ‘ଫଳ ସଂଗ୍ରାମର ଧ୍ୱଜାଧାରୀ । ଶ୍ୟାମା ପ୍ରସାଦ ଜମ୍ମୁ ଓ କାଶ୍ମୀରର ବାସ୍ତବ ସମସ୍ୟା ଭଲ ଭାବେ ହୃଦୟଙ୍ଗମ କରିବା ସହ ତାହାର ସମାଧାନ ଦିଗରେ ଦୃଢ ସ୍ୱର ଉତ୍ତୋଳନ କରିଥରଲେ । ସେ କହୁଥିଲେ ଭାରତର ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ । ଗୋଟିଏ ପଟେ ତୁଷ୍ଟୀକରଣ ରାଜନୀତିକୁ ବିଶ୍ୱାସ କରୁଥିବା କଂଗ୍ରେସ ସମେତ ଅନେକ ରାଜନୈତି ଦଳ ଥିବା ବେଳେ ଅନ୍ୟପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଥିଲା ଭାଜପାର ପ୍ରତିବଦ୍ଧତା । ତାଙ୍କର ଇଚ୍ଛା ଓ ସ୍ୱପ୍ନକୁ ସମ୍ମାନ ଦେଇ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନିଷ୍ପତ୍ତିରୁ ଆଜି ଗୋଟିଏ ଜାତୀୟ ପତାକା ତଳେ ସମଗ୍ର ଦେଶ ରହିପାରିଛି ବୋଲି ବିଜେପି ନେତାମାନେ ମତ ଦେଇଥିଲେ ।