ଆଇଟିଆର ଗୁପ୍ତତଥ୍ୟ ହସ୍ତାନ୍ତର ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ମାମଲାରୁ ହଟିଲା ୩ ଅଫିସିଆଲ ସିକ୍ରେଟ ଦଫା
ବାଲେଶ୍ୱର, (ସରୋଜ ପଣ୍ଡା) :-ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ଅନ୍ତର୍ଗତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର ‘ଆଇଟିଆର’ରୁ ଗୁପ୍ତତଥ୍ୟ ଲିକ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ମିଳିଛି । ସେମାନଙ୍କ ବିରୋଧରେ ଲାଗିଥିବା କଠୋର ଦଫା ମଧ୍ୟରୁ ସରକାରୀ ଗୁପ୍ତ ତଥ୍ୟ ଚୋରୀ ବା ଅଫିସିଆଲ ସିକ୍ରେଟ ଆକ୍ଟ ସମ୍ବଳିତ ପିଙ୍ଗଳ କୋଡ଼ର ୩,୪ ଓ ୫ ଦଫାକୁ ହଟାଇ ଦିଆଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା (ଏଡିଜେ-୩) କୋର୍ଟରେ ବିଚାରାଧୀନ ଏହି ମାମଲାରେ ମଙ୍ଗଳବାର ଜାମିନ ଆବେଦନ ଶୁଣାଣି ଥିଲା । ମାତ୍ର ଲାଗିଥିବା ଦଫା ଅନୁଯାୟୀ ସରକାରୀ ଓକିଲ ଆବଶ୍ୟକ ଦସ୍ତାବିଜ ପେସ କରି ପାରିନଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ନିଯୁକ୍ତ ପ୍ରତିପକ୍ଷ ଆଇନଜୀବୀ ଗୁରୁ ପ୍ରସାଦ ବେହେରାଙ୍କ ବଳିଷ୍ଟ ଯୁକ୍ତି ଓ ଦସ୍ତାବିଜ ଉପସ୍ଥାପନକୁ ଭିତ୍ତିକରି ଏଡିଜେ-୩ ଭି ଗୌତମ ୩ ଗୋଟି ଦଫାକୁ ହଟାଇ ଦେଇଛନ୍ତି । ଅନ୍ୟପକ୍ଷରେ ଲାଗିଥିବା ୧୨୦ (ବି) ଓ ୧୨୧(ଏ) ଦଫା ଏବେ ବଳବତ୍ତର ରହିଥିବା ବେଳେ ଆଗାମୀ ଦିନରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଯିବା ନେଇ ପ୍ରତିପକ୍ଷ ଓକିଲ ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଆଇଟିଆର ପରିସରରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର କରାଯାଉଥିବା ନେଇ ୨୦୨୧ ମସିହା ସେପ୍ଟେମ୍ବର ୧୪ ତାରିଖରେ ବାଲେଶ୍ୱର ପୁଲିସ ସହଯୋଗରେ ଦିଲୀ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ଇଣ୍ଟେଲିଜେନ୍ସ ବ୍ୟୁରୋ) ମାଷ୍ଟର ମାଇଣ୍ଡ ବସନ୍ତ ବେହେରା, ପ୍ରକାଶ ବେରା, ଶେଖ ମୁସାକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ।


