ସିବିଆଇ ଅଫିସ୍ ଘେରିଲା କିନ୍ନର ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ୧ କୋଟି ଉର୍ଦ୍ଧ୍ୱ ଟଙ୍କାକୁ ମୀରା ପରିଡ଼ା, ମେଘନା ସାହୁ ହରିଲୁଟ କରିବା ଘଟଣାରେ ବୁଧବାର ସିବିଆଇ କାର୍ଯ୍ୟାଳୟ ଘେରାଉ କରିଛି କିନ୍ନର ମହାସଂଘ । ଶହ ଶହ କିନ୍ନର ଏଥିରେ ସାମିଲ ହୋଇ ଏହି ଘଟଣାର ସିବିଆଇ ତଦନ୍ତ କରିବା ଏବଂ ସେମାନଙ୍କୁ ଗରିଫ କରିବାକୁ ଦାବି କରିଥିଲେ । ଅଲ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘର ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ବୁଧବାର ଦିବା ୧୦ ଘଟିକା ସମୟରେ ପ୍ରଥମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ଏହାପରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ୧୦.୪୫ ମିନିନଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ପତ୍ର ପ୍ରଦାନ କରିବା ପରେ ୧୧.୧୦ ମିନିଟି ସମୟରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ସିବିଆଇ ଏସ୍.ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଠାରେ ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରୁ ୨ଲକ୍ଷରୁ ଉର୍ଦ୍ଧ୍ୱ, କେନ୍ଦ୍ରାପଡ଼ାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ, କଟକରୁ ୪ ଲକ୍ଷରୁ ଉର୍ଦ୍ଧ୍ୱ, ବଲାଙ୍ଗୀରରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ, ଭଦ୍ରକରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଏହଭଳି ମୋଟ୍ ୧୮ଟି ଜିଲ୍ଲାରୁ ପାଖାପାଖି ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୀରା ପରିଡ଼ା ଓ ମେଘନା ସାହୁ ଆତ୍ମସାତ କରିଛନ୍ତି । ଏତଦ୍ବ୍ୟତୀତ ସଖା ଓ ସିଫାର ସଂଗଠନ ଷ୍ଟେଟ୍ ଏଡ୍ସ ସେଲ୍ରୁ ଏଡ୍ସ ପ୍ରୋଜେକ୍ଟ ନାମରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆଣି ଆତ୍ମସାତ୍ କରିଥିବାରୁ ଷ୍ଟେଟ୍ ଏଡ୍ସ ସେଲ୍ ସେ ସଂଗଠନକୁ କଲା ତାଲିକାଭୁକ୍ତ କରିଛି । ଏଡ୍ସ ସେଲ୍ ବିଭାଗ କଳା ତାଲିକାଭୁକ୍ତ କରିଥିବା ସଂଗଠନକୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ କିଭଳି ଭାବରେ ‘ସ୍ୱୀକୃତି’ ପ୍ରୋଜେକ୍ଟ ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ । କିନ୍ନରମାନଙ୍କ ୮ ଦଫା ଦାବି ଯଥା : କିନ୍ନର ମାନଙ୍କ ପାଇଁ ଉଦ୍ଦିଷ୍ଟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ‘ସଖା’ ‘ସିଫାର’ ଏନ୍ଜିଓକୁ ସିବିଆଇ ତଦନ୍ତ କରାଯାଉ, କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ଗାରିମା ଗୃହକୁ ଯେଉଁ ଯେଉଁ ସଂସ୍ଥା ନେଇଛନ୍ତି, ସେହିସବୁ ସଂସ୍ଥାକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରାଯାଉ, ସିଫାର୍ ଏନ୍ଜିଓକୁ ସିବିଆଇ ତଦନ୍ତ ପରିସରକୁ ଆଣାଯାଉ, କିନ୍ନର ବିରୋଧୀ ମୀରା ପରିଡ଼ା (ମାୟାଧର ପରିଡ଼ା), ମେଘନା ସାହୁଙ୍କୁ ସିବିଆଇ ପରିସରଭୁକ୍ତ କରାଯାଉ, ଭଦ୍ରକ ଜିଲ୍ଲାରେ ହୋଇଥିବା ଦୁଇଗୋଷ୍ଠୀ କିନ୍ନର ଗଣ୍ଡଗୋଳର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କିନ୍ନରମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତିନି ମହଲା ଛାତରୁ ଠେଲି ରୁବି କିନ୍ନରଙ୍କୁ ଗୁରୁତର ଆହତ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ, କିନ୍ନରମାନଙ୍କୁ ଥଇଥାନ କରିବା ନାମରେ ମୀରା ପରିଡ଼ା ଓଡ଼ିଶା ଖଦୀବୋର୍ଡ଼ରୁ ଆଣିଥିବା ୨୫ ଲକ୍ଷ ଟଙ୍କାର ସିବିଆଇ ତଦନ୍ତ କରାଯାଉ, ଭୁବନେଶ୍ୱର ମହାନଗର ନିଗମରୁ ସାଇକେଲ ଷ୍ଟାଣ୍ଡରୁ ଅର୍ଥ ଆଦାୟ କରିବା ପାଇଁ ଅନୁମତି ପାଇଥିବା କିନ୍ନର ଗୋଷ୍ଠୀମାନଙ୍କୁ ସିବିଆଇ ତଦନ୍ତଭୁକ୍ତ କରାଯାଉ, ବିଦେଶରୁ କିନ୍ନରମାନଙ୍କ ନାମରେ ଟଙ୍କା ଆଣିଥିବା ଏନ୍ଜିଓମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ମେନକା ପରିଡ଼ା, ସମ୍ପାଦିକା ରାଧା କିନ୍ନର, ମିଠି କିନ୍ନର, ସୌମ୍ୟା କିନ୍ନର, କୁମ୍କୁମ୍ କିନ୍ନର, ସୋନାଲି କିନ୍ନର ଓ କାଜଲ କିନ୍ନର ପ୍ରମୁଖ ଯୋଗଦେଇ ମୀରା ପରିଡ଼ା, ମେଘନା ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।


