ଚଳିତ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ସ୍ଥାନ, ଐତିହାସିକ ସ୍ଥାନ, ଐତିହାସିକ ସ୍ଥଳୀ ଏବଂ ଧାର୍ମିକ ସ୍ଥଳୀ ମାନଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ନିମନ୍ତେ ବିଭାଗ ତରଫରୁ କଣ ସବୁ ସ୍ୱତନ୍ତ୍ର ନିୟମାବଳୀ ରହିଛି, ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରସ୍ତାବ ମାନଙ୍କ ମଧ୍ୟରୁ କେତେ ଗୁଡିଏ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି, ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କେତେ ଗୋଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳ ରହିଛି ଏବଂ ବିଶେଷ କରି ମା ରାମଚଣ୍ଡୀ ପୀଠ, ବଟେଶ୍ୱର ଶୈବ ପୀଠ ଏବଂ ଅଳେଶ୍ୱର ଭଳି ପ୍ରାଚୀନ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରି ଏହାର ଉନ୍ନତି କରାଯିବ କି ବୋଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନ ସଭାରେ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ଓଡିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ସ୍ଥାନ, ଐତିହାସିକ ସ୍ଥଳୀ ଏବଂ ଧାର୍ମିକ ସ୍ଥଳୀ ମାନଙ୍କୁ ପର୍ଯ୍ୟଟନୀ ସ୍ଥଳର ମାନ୍ୟତା ପ୍ରଦାନ କରିବା ନିମନ୍ତେ ବିଭାଗ ତରଫରୁ ଏକ ମାର୍ଗଦର୍ଶିିକା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ କୌଣସି ଜିଲ୍ଲାରୁ ବିଦ୍ଧିବଦ୍ଧ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଚିଲିକା ଓ ଆର୍ଯ୍ୟପଲ୍ଲୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳ ରହିଛି । ମା ରାମଚଣ୍ଡୀ ପୀଠ, ବଟେଶ୍ୱର ପୀଠ ଏବଂ ଅଳେଶ୍ୱର ର ବିଦ୍ଧିବଦ୍ଧ ପ୍ରସ୍ତାବ ପ୍ରଚଳିତ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ହସ୍ତଗତ ହେଲେ, ସରକାର ଉକ୍ତ ସ୍ଥାନ ଗୁଡିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବିଚାର କରିବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ।