୨୪ ନଂ ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ପୌରପାଳିକାର ୨୪ ନଂ ୱାର୍ଡ଼ରେ ମିଶନ ଶକ୍ତିର ନୂତନ ସ୍ଥାୟୀ ପକ୍କାଗୃହ ଶନିବାର ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସବିତା ସାହୁ ଯୋଗଦେଇ ନବ ନିର୍ମିତ ମିଶନଶକ୍ତି ଗୃହକୁ ଉଦଘାଟନ କରିଥିଲେ । ୨୪ ନଂ ୱାର୍ଡ଼ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାସିକ ବୈଠକ, ଉତ୍ପାଦିତ ସାମଗ୍ରୀ ବିକ୍ରି କ୍ଷେତ୍ରରେ ଏହି ଗୃହ ବେଶ ସହାୟକ ହେବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡ଼ରେ ଏହିଭଳି ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି । ସ୍ଥାନୀୟ କାଉନସିଲର ମୀନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପୌରପାଳିକା ସିଡିପିଓ ସମିତା ସାହୁ ଯୋଗଦେଇ ନିକଟ ଭବିଷ୍ୟତରେ ଅନ୍ୟ ୩ ୱାର୍ଡ଼ରେ ମିଶନ ଶକ୍ତିଗୃହ ଉଦଘାଟନ ହେବ ବୋଲି କହିଛନ୍ତି । ସମାଜସେବୀ ପ୍ରବୋଧ ମହାନ୍ତି ଏହି ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ପୌରପାଳିକା ମିଶନ ଶକ୍ତି ସଂଯୋଜିକା ଶକ୍ତିପ୍ରିୟା ବିଶ୍ୱାଳ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, କାଉନସିଲର ଶେଖ ଆୟୁବ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ବିଭିନ୍ନ ଏସଏଚଜିର କର୍ମକର୍ତ୍ତା ଓ ସଦସ୍ୟାଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ