ରାଜ୍ୟ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା – ଜିଲ୍ଲା କାଯ୍ୟାଳୟ ସଦଭାବନା ସବା ଗୃହରେ ରାଜ୍ୟ ସରକାରଙ୍କ ଏକ ଅଭିନବ ଯୋଜନା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷା ସଶ୍ମିତା ବାଗଚୀଙ୍କ ଦ୍ୱାରା ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଅଧ୍ୟକ୍ଷା ବାଗଚୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଇନ୍ଦୁପୁର ହାଇସ୍କୁଲ,ଚଉଦକୁଲାଟ ହାଇସ୍କୁଲ ପ୍ରଭୃତି ୪ଟି ବିଦ୍ୟାଳୟ ପରିଦର୍ଶନ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସମୀକ୍ଷା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷା ବାଗଚୀ କହିଥିଲେ ଯେ ରାଜ୍ୟରେ ୫୮ହଜାର ଉଚ୍ଚ ବିଦ୍ୟାଳୟ ଅଛି । ଏଥିସହିତ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ମୋ ସ୍କୁଲ ଅଭିଯାନରେ ସାମିଲ କରାଯିବ । ଏହି ଅଭିଯାନର ଉଦେଶ୍ୟ ହେଉଛି ବିଦ୍ୟାଳୟର ସର୍ବାଙ୍ଗିନ ବିକାଶ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ,ସମାଜର ବୁଦ୍ଧିଜୀବି,ଆର୍ଥିକ ସମ୍ପନ୍ନ ବ୍ୟକ୍ତିଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟର ଉନ୍ନତି କରାଯାଇ ଛାତଛାତ୍ରୀଙ୍କୁ ଭଲ ମଣିଷ କରି ଗଢି ତୋଳାଯିବ । ସଫଳ ଶିକ୍ଷାର୍ଥି ହେବା ପାଇଁ ଆବଶ୍ୟକୀୟ ଶ୍ରେଣୀ ଗୃହ,ବିଜ୍ଞାନାଗାର,ପାଠାଗାର,ଖେଳପଡିଆ,ପିଇବା ପାଣି ଓ ପାଇଖିନା ସର୍ବୋପରି ବିଦ୍ୟାଳୟ ପରିସରକୁ ସୁରକ୍ଷିତ ରଖିବା ପାଇଁ ପାଚେରୀ ବ୍ୟବସ୍ଥା କରାଯିବ । ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ପ୍ରକାଶ କରି ବିଦ୍ୟାଳୟର ଉନ୍ନତି ପାଇଁ ବ୍ୟକ୍ତି ବିଶେଷ ଓ ପୁରାତନ ଛାତ୍ରଛାତ୍ରୀ ଯେତିକି ଅର୍ଥ ପ୍ରଦାନ କରିବେ ତା’ର ଦୁଇଗଣ ଅର୍ଥ ମୋ ସ୍କୁଲ ଅଭିଯାନ ପକ୍ଷରୁ ପ୍ରଦାନ କରାଯିବ । ଆର୍ଥିକ ସହାୟତା,ଦ୍ରବ୍ୟ ଆକାରରେ ସହାୟତା,ସେବା ଆକାରରେ ସହାୟତା ବ୍ୟକ୍ତି ବିଶେଷ ଓ ପୁରାତନ ଛାତ୍ରଛାତ୍ରୀ ଯୋଗାଇପାରିବେ । ଜିଲ୍ଲାର ୩୩୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୨୭୪ଟି ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ଅଦ୍ୟାବଧି ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ୫୧୮ଟି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରଯାଇଛି । ଜିଲ୍ଲାରେ ପୁରାତନ ଛାତ୍ରଛାତ୍ରୀ ଓ ବାଦାନ୍ୟ ବ୍ୟକ୍ତିମାନେ ଅଦ୍ୟାବଧି ୯୯ଲକ୍ଷ,୭୮ହଜାର ୪୪୮ ଟଙ୍କା ପ୍ରଦାନ କରିଥିବା ବେଳେ ମୋ ସ୍କୁଲ ଅଭିଯାନ ପକ୍ଷରୁ ମ୍ୟାଚିଂ ଗ୍ରାଂଟ ଆକାରରେ ଏକ କୋଟି ୯୯ଲକ୍ଷ ୫୬ହଜାର ୮୯୬ଟଙ୍କା ପ୍ରଦାନ କରାଯାଇଛି । ମୋଟ ୨କୋଟି ୯୯ଲକ୍ଷ ୩୫ହଜାର ୩୪୪ଟଙ୍କା ଖର୍ଚ୍ଚ କରାଯିବ । ଅଦ୍ୟାବଧି କାର୍ଯ୍ୟକାରି ହୋଇଥିବା ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରାଯାଇ କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପର ତୁରନ୍ତ ବିନିଯୋଗ ପ୍ରମାଣ ପତ୍ର(ୟୁସି) ପ୍ରଦାନ କରିବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଗୁଣାତ୍ମକ ଶିକ୍ଷା ବିକାଶରେ ସଫଳ ହୋଇଥିବା ବିଦ୍ୟାଳୟକୁ ପୁରସ୍କୃତ କରାଯିବା ସହ ଅଭାବ ଥିବା ଶିକ୍ଷକ ପଦବି ପୁରଣ କରାଯିବ ବୋଲି ପ୍ରକାଶ କରିଥିଲେ । ହ୍ୱାଟସଅପ ମାଧ୍ୟମରେ ଶିକ୍ଷକମାନଙ୍କ ଛୁଟି ଦରଖାସ୍ତ ପ୍ରଦର୍ଶନ କରାଯିବ ଏହା ଦ୍ୱାରା କେଉଁ ସ୍କୁଲରେ କେଉଁ ଶିକ୍ଷକ ଛୁତିରେ ଅଛନ୍ତି ସେ ସମ୍ପର୍କରେ ଜନସାଧାରଣ ଜାଣିପାରିବେ । ପେଣ୍ଠପାଳ ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ତ୍ରପାଠୀ ସହପାଠିମାନଙ୍କୁ ପାଠପଢା ପାଇଁ ଉତ୍ସାହିତ କରିବା ଓ ସାମାଜିକ କାର୍ଯ୍ୟରେ ଭାଗିଦାରୀ ହେବାକୁ ପ୍ରୋତ୍ସାହିତ କରିଥିବାରୁ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ବାଗଚୀ ଛାତ୍ରୀ ଶୁଭସ୍ମିତାଙ୍କୁ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ ଓ ପେଣ୍ଠପାଳ ବିଦ୍ୟାଳୟକୁ ମ୍ୟାଚିଂ ଗ୍ରାଂଟରୁ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡାର ଗୈାରବ କାଇଁଚ ହସ୍ତଶିଳ୍ପର ଦ୍ରବ୍ୟ ଜିଲ୍ଲାପାଳ ଶ୍ରୀ ବର୍ମା ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ । ବୈଠକରେ ମୋ ସ୍କୁଲ ଅଭିଯାନର ରାଜ୍ୟ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ଅଭିଜିତ ଜେନା,ଅନ୍ୟତମ ପରିଚାଳିକା ଶୁଭା ପାଲିତ,ଜିଲ୍ଲା କମିଟି ସଦସ୍ୟ ଡଃ.ବାସୁଦେବ ଦାସ,ନେଚର୍ସ କ୍ଲବର ସମ୍ପାଦକ ବିରଜା ପ୍ରସାଦ ପତି,ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରାଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗ ଅଧିନସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ