କଂଗ୍ରେସର ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରଶିକ୍ଷଣ ଶିବିର
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ବୁଥ୍ ସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ଭୋଟର ତାଲିକାର ସଠିକତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଲକ୍ଷ୍ମୀପୁର ଆଇବି ବଙ୍ଗଳା ପରିସରରେ ଏକ ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ବିଧାୟକ ପବିତ୍ର ସାଉଁତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତୋଫାନ ଷଡ଼ଙ୍ଗୀ, ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ଯୋଗଦେଇ ବୁଥ୍ ଲେଭେଲ ଏଜେଣ୍ଟ–୨ (ବିଏଲଏ–୨)ଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ବିଏଲଏ–୨ମାନେ ୨୦୨୯ ପର୍ଯ୍ୟନ୍ତ ନିଜ ନିଜ ବୁଥ୍ରେ କାର୍ଯ୍ୟ କରିବେ ଏବଂ ସରକାରଙ୍କ ନିଯୁକ୍ତ ବିଏଲଓମାନଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇଛି କି ନାହିଁ, ତାହାର ତଦାରଖ କରିବେ। ଭୋଟର ତାଲିକାରୁ କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ ପଡ଼ିଲେ ତୁରନ୍ତ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରି କହିଥିଲେ ଯେ, କେତେକ ସ୍ଥାନରେ କଂଗ୍ରେସ ସମର୍ଥକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଉଥିବା ଅଭିଯୋଗ ଆସୁଛି। ଏହି ପରିସ୍ଥିତିରେ ବିଏଲଏ–୨ମାନେ ଅଧିକ ସଚେତନ ରହି ଭୋଟର ତାଲିକା ଯାଞ୍ଚ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ସଭାପତି ରୂପକ ତୁରୁକ କହିଥିଲେ ଯେ, ସେପ୍ଟେମ୍ବର ୬ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି। ଜିଲ୍ଲାରେ ୧୩୦୦ରୁ ଅଧିକ ବୁଥ୍ ଥିବାରୁ ଆସନ୍ତା ଅଗଷ୍ଟ ୧୯ ସୁଦ୍ଧା ସମସ୍ତ ବ୍ଲକ ସଭାପତିଙ୍କୁ ବିଏଲଏ–୨ଙ୍କ ଚୂଡ଼ାନ୍ତ ତାଲିକା ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକ ପବିତ୍ର ସାଉଁତା କହିଥିଲେ ଯେ, ବିଏଲଏ–୨ କାର୍ଯ୍ୟକ୍ରମ ପଞ୍ଚାୟତ, ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ସଂଗଠନର ସଫଳତା ପାଇଁ ମୂଳଦୁଆ ସଦୃଶ। ତେଣୁ ପ୍ରତ୍ୟେକ କର୍ମୀଙ୍କୁ ନିଷ୍ଠା, ସକ୍ରିୟତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଉପସଭାପତି ସୁନାମ ହିଆଲ, ଦଶମନ୍ତପୁର ବ୍ଲକ ସଭାପତି ମୋହନ ପାତ୍ର ହିଆଲ, ବନ୍ଧୁଗାଁ ବ୍ଲକ ସଭାପତି ଡି. ଏଙ୍କେଟି, ନାରାୟଣପାଟଣା ବ୍ଲକ ସଭାପତି ବିଭୀଷଣ ମହାନନ୍ଦିଆ, ସାଂସଦ ପ୍ରତିନିଧି ଜିତେନ୍ଦ୍ର ବିଶୋଇ, ରାଜେନ୍ଦ୍ର ହୁଇକା, ନନ୍ଦା ହାଣ୍ଡି, ବୁରୁଦା ତ୍ରିପାଠୀଙ୍କ ସମେତ ଚାରିଟି ବ୍ଲକର ଶତାଧିକ କଂଗ୍ରେସ କର୍ମୀ, ପଞ୍ଚାୟତ ସଭାପତି ଓ ସଂଗଠନର ପଦାଧିକାରୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଯୁବନେତା ମଣ୍ଟି ଖରା ସୁଚାରୁରୂପେ ପରିଚାଳନା କରିଥିଲେ।


