କଳାହାଣ୍ଡି-ନୂଆପଡ଼ା ଚାଷୀଙ୍କ ସମସ୍ୟା ଉଠାଇଲେ ସାଂସଦ ମାଲବିକା ଦେବୀ
କଳାହାଣ୍ଡି(ଚିତ୍ତରଞ୍ଜନ ବିଷି ): କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ ଲୋକସଭାର ନିୟମ–୩୭୭ ଅନୁଯାୟୀ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ପ୍ରମୁଖ ଧାନ ଉତ୍ପାଦନକାରୀ ଅଞ୍ଚଳ ହୋଇଥିଲେ ମଧ୍ୟ କଳାହାଣ୍ଡି ଓ ନୂଆପଡ଼ାରେ ଧାନ ସଂଗ୍ରହ ଭିତ୍ତିଭୂମି ଯଥେଷ୍ଟ ନଥିବାରୁ ପ୍ରତିବର୍ଷ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକସଭା ସଚିବାଳୟରେ ଦାଖଲ କରିଥିବା ତାଙ୍କ ଲିଖିତ ପ୍ରସ୍ତାବରେ ମାଲବିକା ଦେବୀ ଉଲ୍ଲେଖ କରିଛନ୍ତି ଯେ, ଧାନ ସଂଗ୍ରହ ଋତୁରେ ପର୍ଯ୍ୟାପ୍ତ ଗୋଦାମ ଓ କଭର ସେଡ୍ର ଅଭାବ, କ୍ରୟ କରାଯାଇଥିବା ଧାନକୁ ସମୟମତେ ଉଠାଇ ନ ନେବା ଏବଂ ରେଳ ରେକ୍ର ଅଭାବ ଯୋଗୁଁ ମଣ୍ଡିଗୁଡ଼ିକରେ ଧାନ ଜମା ହୋଇ ରହୁଛି। ଏହାର ପରିଣାମରେ ଚାଷୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି ଏବଂ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଭାରତୀୟ ଖାଦ୍ୟ ନିଗମ (FCI), କେନ୍ଦ୍ରୀୟ ଗୋଦାମ ନିଗମ (CWC) କିମ୍ବା ଅନ୍ୟ କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ଅତିରିକ୍ତ ଗୋଦାମ କ୍ଷମତା ସୃଷ୍ଟି କରାଯାଉ। ଏହା ସହ ବୈଜ୍ଞାନିକ ଗୋଦାମ ବ୍ୟବସ୍ଥାର ବିକାଶ ଏବଂ ଧାନ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ର ସମୟୋପଯୋଗୀ ବ୍ୟବସ୍ଥା କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ମାଲବିକା ଦେବୀ କହିଛନ୍ତି ଯେ, ଆଗୁଆ ପ୍ରସ୍ତୁତି ଏବଂ ରାଜ୍ୟ ସରକାର ସହ ସମନ୍ୱୟ ରକ୍ଷା କରାଗଲେ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ସୁଗମ ହେବ। ଏହା ଦ୍ୱାରା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ସହ ଧାନ ସଂଗ୍ରହ ପରବର୍ତ୍ତୀ କ୍ଷତି କମିବ ଏବଂ ଚାଷୀମାନେ ସମୟରେ ସେମାନଙ୍କ ପ୍ରାପ୍ୟ ଅର୍ଥ ପାଇପାରିବେ। ଆଗାମୀ ଧାନ ସଂଗ୍ରହ ଋତୁ ପୂର୍ବରୁ କଳାହାଣ୍ଡି ଓ ନୂଆପଡ଼ା ସଂସଦୀୟ କ୍ଷେତ୍ରରେ ଧାନ କ୍ରୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଚାଷୀଙ୍କ ସ୍ୱାର୍ଥ ଓ ମଣ୍ଡି ପରିଚାଳନାର ଉନ୍ନତି ଦୃଷ୍ଟିରୁ ତାଙ୍କର ଏହି ପ୍ରସ୍ତାବକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।


