ଆସିକା ସହରର ସାହିବସ୍ତିରେ ବଢୁଛି ବୁଲା କୁକୁରଙ୍କ ଆତଙ୍କରାଜ୍‍

ଆସିକା  (ୱାଇଏନ୍‍ଏସ୍‍) : ଆସିକା ସହରାଞ୍ଚଳରେ ଦିନକୁ ଦିନ ବୁଲାକୁକୁରଙ୍କ ବଂଶ ବୃଦ୍ଧି ହେଉଥିବା ବେଳେ ପୌର ପରିଷଦ ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରାଞ୍ଚଳର ସାହିବସ୍ତି ଗୁଡିକରେ ପଲପଲ ବୁଲାକୁକୁର ଘୁରି ବୁଲୁଛନ୍ତି । ଏପରିକି ବିଭିନ୍ନ ସମୟରେ ଦୁଇଗୋଷ୍ଠୀ କୁକୁର ମଧ୍ୟରେ ଗ୍ୟାଙ୍ଗୱାର ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ବୁଲାକୁକୁର ମାନେ କେତେବେଳେ ପଥଚାରୀ ମାନଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି ତ ଅନ୍ୟ କେତେବେଳେ ସାଇକେଲ୍ ଠାରୁ ଆରମ୍ଭ କରି ଦୁଇଚକିଆ ଓ ଚାରିଚକିଆ ଯାନ ସମ୍ମୁଖକୁ ଆସି ଯାଉଥିବାରୁ ଛୋଟବଡ ଦୁର୍ଘଟଣା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏପରିକି ଅଧିକାଂଶ ସାହିବସ୍ତିରେ ରୋଗିଣା କୁକୁରଙ୍କ ଶରୀରରୁ ନିର୍ଗତ ଦୁର୍ଗନ୍ଧରେ ନାକ ଫାଟିପଡୁଛି । ଗତ କିଛି ଦିନ ଧରି ଆସିକା ସହରାଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢିଯାଇଛି ଯେ, ସାଧାରଣଜନତା ଅଣନିଶ୍ୱାସୀ ହୋଇପଡିଲେଣି । ଗୋଟିଏ ପଟେ ସହରାଞ୍ଚଳର ସାହିବସ୍ତିରେ ବୁଲାକୁକୁରଙ୍କ ସଂଖ୍ୟା ହ୍ରାସ କରିବା ପୌର ପରିଷଦ ପକ୍ଷରୁ ନିୟମିତ ଧରପଗଡ କରାଯାଉନଥିଲା ବେଳେ ଅନ୍ୟ ପଟେ ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳରୁ ରାତିଅଧିଆ ଚାରିଚକିଆ ଯାନରେ ବୁଲା କୁକୁରମାନଙ୍କୁ ଆଣି ଆସିକାରେ ଛଡା ଯାଉଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ସହରବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଗତ କିଛି ମାସ ତଳେ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ସାହିବସ୍ତିରେ ଧରପଗଡ କରାଯାଇ ବୁଲା କୁକୁରଙ୍କୁ ଉଦ୍ଧାର କରାଯିବା ସହ ଅନ୍ୟତ୍ର ଛଡା ଯାଉଥିଲା । ସେତେବେଳେ ପୌର ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା ବି କରାଯାଉଥିଲା । ତେବେ ବିଗତ କିଛି ଦିନ ହେଲା ବୁଲୁ କୁକୁର ଧରପଗଡ ଅଭିଯାନ ବନ୍ଦ ହୋଇଯାଇଥିବା ଯୋଗୁଁ ପୁଣି ବୁଲା କୁକୁରଙ୍କ ଆତଙ୍କରାଜ କେତେକ ସାହିବସ୍ତିରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି । ରାତିରେ ହେଉ ଅବା ଦିନରେ ପ୍ରତି ସମୟରେ ବୁଲାକୁକୁର ମାନେ ପଲପଲ ହୋଇ ସାହିବସ୍ତି ଗୁଡିକରେ ଘୁରି ବୁଲୁଛନ୍ତି । ବିଶେଷ କରି ଶିଶୁ ଓ ପ୍ରାତଃ ଭ୍ରମଣକାରୀମାନେ ରାସ୍ତାରେ ଯାତାୟତ ସମୟରେ ବିଭିନ୍ନ ସମୟରେ ବୁଲାକୁକୁରଙ୍କ ଆକ୍ରମଣର ଶୀକାର ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆସିକା ସହରାଞ୍ଚଳରେ ବୁଲାକୁକୁର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ସାଧାରଣଜନତା ରାତ୍ର ସମୟରେ ଓ ପ୍ରତ୍ୟୁଷରେ ନିର୍ଭୟରେ ଜରୁରୀ କାମରେ ଘରୁ ବାହାରିବାକୁ ନିରାପଦ ମଣୁନଥିବା ଅଭିଯୋଗ ହେଉଛି । ଗତ ଜାନୁୟାରୀ ମାସ ପହିଲାରୁ ଜୁଲାଇ ମାସ ଶେଷ ସୁଦ୍ଧା ୭୭୭ ଜଣ ବ୍ୟକ୍ତି ବୁଲାକୁକୁର କାମୁଡାରେ ଆହତ ହୋଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ କୁକୁର ଜଳାନ୍ତକ ପ୍ରତିଷେଧକ ଇନ୍‍ଜେକସନ୍‍ ନେଇଥିବା ଜଣାପଡିଛି । ଆସିକା ସହରର ବହୁ ଜନସାଧାରଣ ବୁଲା କୁକୁରଙ୍କ ଆତଙ୍କ ଓ ଦୌରାତ୍ମ୍ୟରେ ଅଣନିଶ୍ୱାସୀ ହୋଇପଡିଲେଣି । ସହରର କେତେକ ସାହିବସ୍ତିରେ ଦଳ ଦଳ ହୋଇ ବୁଲୁଥିବା ବୁଲା କୁକୁରମାନେ ଅଧିକାଂଶ ସମୟ ରାସ୍ତାରେ ଯାଉଥିବା ଛୋଟ ଛୋଟ ଶିଶୁଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିିଷଦ ଅଧୀନସ୍ଥ ଅଞ୍ଚଳରେ ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରହିଥିଲା ବେଳେ ରାତି ପାହିଲେ ବହୁ ଛୋଟ ଛୋଟ ଶିଶୁ ବିଭିନ୍ନ ସାହିବସ୍ତିର ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି । ତେବେ ବୁଲା କୁକୁରମାନେ ସେମାନଙ୍କ ଗ୍ରୁପ ଗଠନ କରି ଆତଙ୍କରାଜ ସୃଷ୍ଟି କରୁଥିବା ସାଙ୍ଗକୁ କେତେକ ସମୟରେ ଗ୍ୟାଙ୍ଗୱାର କରୁଥିବା ଯୋଗୁଁ ବହୁ ଅଭିଭାବକ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ଏକୁଟିଆ ଛାଡିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ପୌର ପରିଷଦ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଆସିକା ସହରର କେତେକ ସାହିବସ୍ତିରେ ଲାଗି ରହିଥିବା ବୁଲାକୁକୁରଙ୍କ ଦୌରାତ୍ମ୍ୟକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ