୮୦ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଉଦଳା,(ରାଜୀବ କୁମାର ବେହେରା): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉଦଳାଠାରେ କପ୍ତିପଦା ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୫ ତାରିଖ ବୁଧବାର ସ୍ଥାନୀୟ ସନ୍ଧାନଗୃହ ପରିସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା। କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ବୈଠକରେ ଅଧ୍ୟକ୍ଷତା କରି ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବକୁ ଅଧିକ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କ ମତାମତ ଆହ୍ୱାନ କରିଥିଲେ। ବୈଠକରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ପ୍ରମିଳା ପଣ୍ଡା ଯୋଗଦେଇ କହିଥିଲେ ଯେ, ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଶିଳଘାଟି ବନ୍ଧ ଏବଂ କପ୍ତିପଦା ବ୍ଲକ ଅନ୍ତର୍ଗତ ବାଘାଯତିନ ପୀଠ ଆମ ଅଞ୍ଚଳର ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ସ୍ମୃତି ସ୍ମାରକୀ। ଏହି ଐତିହାସିକ ସ୍ଥାନଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଏବେ ଜରୁରୀ ହୋଇପଡ଼ିଛି ବୋଲି ସେ ମତ ପ୍ରକାଶ କରିଥିଲେ, ବିଧାୟକ ଭାସ୍କର ମଢ଼େଇ, ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡ଼ା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମୁରଲୀଧର ଚାନ୍ଦ ବିଗତ ବର୍ଷର ସ୍ୱାଧୀନତା ଦିବସ ପାଳନର ରୂପରେଖ ସମ୍ପର୍କରେ ଅବଗତ କରାଇବା ସହ ଚଳିତ ବର୍ଷର କାର୍ଯ୍ୟକ୍ରମ ନେଇ ଏଜେଣ୍ଡା ଉପସ୍ଥାପନ କରିଥିଲେ। ବୈଠକରେ ବିଭିନ୍ନ ବ୍ଲକ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସହକାରୀ ଜିଲ୍ଲାପାଳ ପ୍ରତୀକ ପଣ୍ଡା ସୂଚନା ଦେଇ କହିଥିଲେ ଯେ, ଚଳିତ ବର୍ଷ ପତାକା ଉତ୍ତୋଳନ ପୂର୍ବରୁ ବନ୍ଦେ ମାତରମ ଏବଂ ପତାକା ଉତ୍ତୋଳନ ପରେ ‘ଜନଗଣମନ’ ପରିବେଷଣ କରାଯିବ। ଏଥିପାଇଁ ଦାୟିତ୍ୱରେ ଥିବା ଗୁରୁଜୀ ଓ ଗୁରୁମାମାନେ ଛାତ୍ରଛାତ୍ରୀଙ୍କୁ ଉଭୟ ଜାତୀୟ ସଙ୍ଗୀତ ପ୍ରସ୍ତୁତ କରାଇବେ। ଏହା ସହିତ ସ୍ୱାଧୀନତା ଦିବସ ପାଳନର ଅନ୍ୟାନ୍ୟ ପ୍ରସ୍ତୁତିକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ