ଗୋଚର ଜମିରେ ତିଆରି ହେଉଛି କୋଠାଘର ପ୍ରଶାସନ ନୀରବଦ୍ରଷ୍ଟା
ନିମାପଡ଼ା, (ସନ୍ତୋଷ ଦାଶ) :-ଓଡିଶା ସରକାର ଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ- ୧୯୭୪ ଅନୁସାରେ ଗ୍ରାମର ସମୁଦାୟ ଜମିର ୫ ପ୍ରତିଶତ ଜମି ଗୋଚର ପାଇଁ ସଂରକ୍ଷିତ ରହିବ। କିନ୍ତୁ ସମସ୍ତ ଆଇନ୍ କାନୁନ୍ କୁ ଉଲ୍ଲଘଂନ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୋଚର ଜମିକୁ ଜବର ଦଖଲ କରି ସ୍ଥାୟୀ ଗୃହ ନିର୍ମାଣ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ର ନୀରବତା କାରଣ ରୁ ବେଆଇନ ଭାବେ ବଡ଼ କୋଠାଘର ନିର୍ମାଣ ଚାଲିଛି । ଫଳରେ ଆବଶ୍ଯକୀୟ ଗୋଚର ଜମି ସଙ୍କୁଚିତ ହୋଇ ଗୋ-ସମ୍ପଦ ସଙ୍କଟ ରେ ପଡିଚି। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ କେନ୍ଦ୍ରାପଟୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ଏକର ଏକର ପରିମିତ ଗୋଚର ଜମିରେ ବଡ଼ ବଡ଼ କୋଠାଘର ନିର୍ମାଣ ହେଉଛି । ଜିୟୁନ୍ତି ମୌଜା ଉକୁଳେଇ ଗ୍ରାମରେ ଥିବା ଗୋଚର ଜମିରେ ବେଆଇନ ଭାବେ ବଡ଼ ବଡ଼ କୋଠାଘର ନିର୍ମାଣ ଚାଲିଛି । ଫଳରେ ଗୋ-ସମ୍ପଦ ପାଇଁ ଉଦ୍ଦିଷ୍ଟ ଥିବା ଗ୍ରାମ୍ୟ ଚାରଣ ଭୂମି ଗୁଡିକ ଅସୁରକ୍ଷିତ ହୋଇପଡିଛି।ଗୋ-ମାତାଙ୍କୁ ଚାରଣଭୂମି ମିଳୁନାହିଁ। ଗୋବଂଶ ଧ୍ବଂସାଭିମୁଖ ହେଉଛି । ଅପରପକ୍ଷରେ ଗ୍ରାମୀଣ ପରିବେଶକୁ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି । ବିପୁଳ ପରିମାଣର ସରକାରୀ ଜମି ବ୍ଯକ୍ତି ବିଶେଷଙ୍କ କବଜାରେ ରହିଥିବା ବେଳେ ସେ ସବୁ ଉଦ୍ଧାର କରିବାକୁ ସ୍ଥାନୀୟ ତହସିଲ ପ୍ରଶାସନର ଆନ୍ତରିକତା ନାହିଁ। କିମ୍ବା ଘରୋଇ ଭାବେ ଥିବା ଜମିକୁ ସରକାର ଅଧିଗ୍ରହଣ କରୁନାହାନ୍ତି । ତେଣୁ ସ୍ଥାନୀୟ ପ୍ରଶାସନ ଗୋଚର ଜମିରେ ଘର ନିର୍ମାଣ କରିବାକୁ ଅନୁମତି ଦେଇ ଗାଈ ଗୋରୁଙ୍କ ପାଟିରେ ପରୋକ୍ଷରେ ତୁଣ୍ଡି ବାନ୍ଧୁଥିବା ଅଭିଯୋଗ ହେଉଛି। ଚାରଣଭୂମି ଅଭାବ ଯୋଗୁଁ ଖାଦ୍ୟ ଅନ୍ବେଷଣରେ ରାସ୍ତା ଘାଟରେ ବୁଲୁଥିବା ଗାଈଗୋରୁ କାଗଜ ପେଟି, ପଲିଥିନ୍ ମୁଣା ପ୍ରଭୂତି ଖାଇ ମୃତ୍ୟୁମୁଖରେ ପଡୁଛନ୍ତି। ଏ ସମ୍ପର୍କରେ ଉକୁଳେଇ ର ବାସିନ୍ଦା ମାନେ ବାରମ୍ବାର ଅସ୍ତରଙ୍ଗ ତହସିଲଦାରଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ତହସିଲ ପ୍ରଶାସନ ଏବଂ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଭିତରେ ମଧୁଚନ୍ଦ୍ରୀକା ଯୋଗୁଁ ଗୋଚର ଜମିକୁ ଜୋର ଜବରଦସ୍ତ ଦଖଲ କରି ଘର କରୁଥିବା ସମାଜସେବୀ ସୁଦିପ୍ତ ରାଉତ ଅଭିଯୋଗ କରିଛନ୍ତି । ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ କେନ୍ଦ୍ରାପାଟି ଆର ଆଇ ସର୍କଲ ର ଜିୟୁନ୍ତି ମୌଜା ପ୍ଲଟ୍ ନଂ – ୨୦୬୬ ଗୋଚର କିସମ୍ ରହିଥିବା ବେଳେ ଜୈନିକ ଅଧ୍ୟାପକ ଗୋଚର ଜମିକୁ ଜବର ଦଖଲ କରି ନିଜେ ରହିବା ପାଇଁ କୋଠାଘର ନିର୍ମାଣ କରୁଥିବା ଅଭିଯୋଗ ହେଉଛି। ସରକାରୀ କର୍ମଚାରୀ ହୋଇ ଗୋଚର ଜମିକୁ କିପରି ଜବରଦଖଲ କରି କୋଠାଘର ନିର୍ମାଣ କରୁଛନ୍ତି ଏବଂ ତହସିଲ ପ୍ରଶାସନ ସବୁ ଜାଣି ଦେଖି କିପରି ନୀରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କୁ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ତହସିଲ ତରଫରୁ ସେମିତି କିଛି କାର୍ଯାନୁଷ୍ଠାନ ନିଆଯାଇନାହିଁ ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଚର ଜମିରୁ ନିର୍ମାଣଧୀନ କୋଠାଘର ଉଛେଦ କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ସହିତ ଉକୁଳେଇ ଗ୍ରାମବାସୀ ମାନେ ତହସିଲଦାର ଶ୍ରୀମତୀ ନାୟକଙ୍କୁ ଦାବୀ କରିଛନ୍ତି । ଗୋଚର ଜମିରୁ ଉଚ୍ଛେଦ ନ କରାଗଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ସହ ସମାଜସେବୀ ଶ୍ରୀ ରାଉତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।


