ନବଜାତ ଶିଶୁ ଯତ୍ନ ସପ୍ତାହ ନେଇ ଗୋଷ୍ଠୀସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ବ୍ଳକରେ ଗୁରୁବାର ଗୋଷ୍ଠୀ ସ୍ତରୀୟ ସଚେତନତା ଓ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ବ୍ଳକର ସମସ୍ତ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ମୋ ଗେହ୍ଲା ଝିଅ, ନିର୍ଭୟକଢି ଦିବସ, ନବଜାତ ଶିଶୁ ଯତ୍ନ ସପ୍ତାହ, ମୋ ସଚେତନତା, ମୋ ଡ଼ାକ୍ତରଖାନା ମୋ ଗର୍ବ ଓ ବିନା ଅତ୍ସୋପ୍ରଚାରରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ଅର୍ନ୍ତଭୁକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଗଣ୍ଡଳା ଗଣେଷ ବିଦ୍ୟାପିଠ ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଶିକ୍ଷାର୍ଥୀ ମାନେ ହାତରେ ପ୍ଳାକାର୍ଡ଼, ବ୍ୟାନର ଧରିବା ସହ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ବ୍ଳକର ବିଭିନ୍ନ ପଂଚାୟତରେ ସରପଂଚ ମାନେ ଉପସ୍ଥିତ ରହି ୪୭ ଜଣ ମା’ ଓ ନବଜାତ ଶିଶୁ କନ୍ୟାଙ୍କୁ ବେବି କିଟ୍, ଫୁଲତୋଡ଼ା ଓ ପ୍ରଶଂସାପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଉକ୍ତ ସମସ୍ତ ଯୋଜନାର ଆଭିମୁଖ୍ୟ ଓ ସଫଳ ରୂପାୟନ ସଂକ୍ରାନ୍ତରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ଶଶାଙ୍କ ଶେଖର ପଣ୍ଡା, ପିଏଚଇଓ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସଂପୃକ୍ତ ପଂଚାୟତର ସରପଂଚ, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ସଚେତନତା ର୍ୟାଲି କରଯାଇଥିଲା ।


