୧୪ ବର୍ଷ ପରେବି ବଣ୍ଟା ହୋଇ ପାରୁନି ମାର୍କେଟ କମ୍ପ୍ଲେକ୍ସ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ ବାଲିଦୋକାନ ବଜାରରେ ଉଚ୍ଛେଦ ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଗୃହ ଦୀର୍ଘ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜନୈତିକ କନ୍ଦଳ ସହ ନେତା ମନ୍ତ୍ରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁଁ ବଣ୍ଟନ ହୋଇପାରୁନି । ସୂଚନାଯୋଗ୍ୟଯେ ୨୦୦୭ ମସିହାରେ ବଜାରରେ ଦୋକାନ ଗୃହ ଓ କେବିନ୍ କରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଙ୍କୁ ଉଚ୍ଛେଦ କରି ସେ ସମୟର କାକଟପୁର ବିଧାୟକ ତଥା ମନ୍ତ୍ରୀ ଥିବା ସୁରେନ୍ଦ୍ର ନାଥ ନାୟକଙ୍କ ପ୍ରଚେଷ୍ଟାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ୨୩ ବଖରା ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲା । ୨୦୦୯ ମସିହାରେ ପଞ୍ଚାୟତିରାଜ ମନ୍ତ୍ରୀ ଥିବା ରଘୁନାଥ ମହାନ୍ତି ଓ କୃଷିମନ୍ତ୍ରୀ ଥିବା ସୁରେନ୍ଦ୍ର ନାଥ ନାୟକଙ୍କ ଦ୍ୱାରା ଫେବୃୟରୀ ୨୬ ତାରିଖ ରେ ଉଦ୍ଘାଟନ ହୋଇଥିଲା । ଉଦଘାଟନ ହେବାର ୧୪ ବର୍ଷ ପୁରିଥିଲେ ମଧ୍ୟ ଆଜି ଯାଏଁ ଉଚ୍ଛେଦ ବ୍ୟବସାୟୀ ମାନଙ୍କୁ ଥଇଥାନ ପ୍ୟାକେଜ ଅନୁଯାୟୀ ଗୃହ ବଣ୍ଟନ ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ଯାହା ଫଳରେ ଘର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ଏନେଇ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ ଓ ଉଚ୍ଚ ସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ପରେ ଗତ ଦୁଇ ବର୍ଷ ତଳେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥିଲା । ଯାହା ଗୃହ ବଣ୍ଟନ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବିଗତ ବର୍ଷ ମାନଙ୍କରେ ୪ଟି ସ୍ଥାନୀୟ ବିଧାୟକ, ୪ ଟି ସରପଞ୍ଚ, ୬ଟି ବିଡିଓ ଓ ୫ଟି ଜିଲ୍ଲାପାଳ ବଦଳି ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ ହୋଇ ପାରିଲା ନାହିଁ। ଯାହା ଫଳରେ ଉଚ୍ଛେଦ ବ୍ୟବସାୟୀ ମାନେ ନିଜର ବ୍ୟବସାୟ ଓ ରୋଜଗାର ହରାଇ ସାରିଛନ୍ତି । ସ୍ଥାନୀୟ ବ୍ୟବସାୟୀ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସ ସୁଫଳ ମିଳି ପାରି ନାହିଁ । ଯାହା ଦ୍ୱାରା ସରକାରଂକ ଲକ୍ଷ ଲକ୍ଷ ଟଙ୍କା ରାଜ୍ଵସ ଆତ୍ମସାତ ହେଉଛି । ତେଣୁ କୁରୁଜଙ୍ଗ, ଅବଦାନ ଓ କାଦୁଆ ପଞ୍ଚାୟତର କେନ୍ଦ୍ର ପାଲଟି ଥିବା ଏହି ବାଲିଦୋକାନ ବଜାରରେ ଥିବା ମାର୍କେଟ କମ୍ପ୍ଲେକ୍ସ କୁ ଉଚ୍ଛେଦ ବ୍ୟବସାୟୀ ମାନଙ୍କୁ ଯଥାଶୀଘ୍ର ବଣ୍ଟନ ବ୍ୟବସ୍ଥା କରାଯିବା ନେଇ ସ୍ଥାନୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା, ବିଡିଓ ତୁଷାର ଜ୍ୟୋତି ରଂଜନ ପ୍ରମୁଖ ଦୃଷ୍ଟି ଦେବାକୁ ଯୁବନେତା ପବିତ୍ର ବିଶ୍ଵାଳ, ସରପଞ୍ଚ ରୂପାଲି କାଣ୍ଡି ଓ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ଦାବି ଜଣାଇଛନ୍ତି ।


