ଦିନିକିଆ ଧର୍ମଘଟ ସଫଳ କରିବାକୁ ଡାକ କର୍ମଚାରୀଙ୍କ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :ଅଖିଳ ଭାରତୀୟ ଡାକ କର୍ମଚାରୀ ତୃତୀୟ ଶ୍ରେଣୀ, ପୋଷ୍ଟମ୍ୟାନ ଓ ‘ଏମଟିଏସ’ ସଂଘର ମିଳିତ କାର୍ଯ୍ୟକାରୀ କମିଟି ବୈଠକ ସହଦେବଖୁଣ୍ଟାସ୍ଥିତ ସଂଘ କାର୍ଯ୍ୟାଳୟ ‘ଜୀବନକୃଷ୍ଣ ଭବନ’ରେ କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୩ୟ ଶ୍ରେଣୀ ସଂଘର ସଭାପତି ସାଥୀ ଅଜୟ ନାରାୟଣ ଦାସ ସଭାପତିତ୍ୱ କରିଥିଲେ ।ଏହି ସଭାରେ ଓଡ଼ିଶା ରାଜ୍ୟର ପ୍ରାକ୍ତନ ଡାକସଂଘ ସମ୍ପାଦକ ତଥା କେନ୍ଦ୍ର ସଂଘର କାର୍ଯ୍ୟକର୍ତ୍ତା ବୃହଷ୍ପତିି ସାମଲ, ପୂର୍ବତନ ନେତା ସାଥୀ ନିରଞ୍ଜନ ରାଉତ, ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, କୁଞ୍ଜ ବିହାରୀ ଦାଶ, ଗୋପାଳ ଚନ୍ଦ୍ର ପଢ଼ିଆରୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ୩ୟ ଶ୍ରେଣୀ କର୍ମଚାରୀ ସଂଘର ସମ୍ପାଦକ ରାଜେନ୍ଦ୍ର ମଲ୍ଲିକ, ପୋଷ୍ଟମ୍ୟାନ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦେଇ ଡାକ ବିଭାଗର ସବୁ ବର୍ଗର କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ କେନ୍ଦ୍ରୀୟ ସଂଗଠନଙ୍କ ଆହ୍ୱାନ କ୍ରମେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ହେବାକୁ ଥିବା ଏକଦିବସୀୟ ଧର୍ମଘଟକୁ ବାଲେଶ୍ୱର ଡିଭିଜନର ଶତପ୍ରତିଶତ ସଫଳ କରିବା ଉପରେ ଉପସ୍ଥିତ ଡାକକର୍ମଚାରୀ ନେତାମାନେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଡାକ ବିଭାଗ ଘରୋଇକରଣ ଓ ନୂତନ ପେନସନ ବ୍ୟବସ୍ଥା ଦ୍ୱାରା ହେଉଥିବା କ୍ଷତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଡାକ ବିଭାଗରେ ଘରୋଇକରଣ ଓ ନୂତନ ପେନସନ ବ୍ୟବସ୍ଥା ବନ୍ଦ କରିବା, ଖାଲିପଡ଼ିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରିବା, ଗ୍ରାମୀଣ ଡାକକର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦେବା, ବାକିଥିବା ୧୮ମାସର ମହଙ୍ଗାଭତ୍ତା ଅବିଳମ୍ବେ ପ୍ରଦାନ କରିବା ଇତ୍ୟାଦି ୨୦ଦଫା ଦାବି ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ପୋଷ୍ଟଅଫିସ୍‌ର ଡାକ ସେଭିଙ୍ଗ୍‌ସ ବ୍ୟାଙ୍କ୍‌କୁ ଘରୋଇକରଣ କରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ ଅଧୀନକୁ ଆଣିବା ଆଦେଶ ପ୍ରତ୍ୟାହାର ପାଇଁ ଦାବି ହୋଇଥିଲା । ଏହା କରିବା ଦ୍ୱାରା ଦୀର୍ଘଦିନରୁ ପାଇଆସୁଥିବା ବିଭିନ୍ନ ସୁବିଧା ତଥା ସୁଧହାର ଜନସାଧାରଣ କମ୍ ପାଇବେ । ତେଣୁ ଜନସାଧାରଣ ଧର୍ମଘଟକୁ ସଫଳ କରିବାରେ ସହଯୋଗ କରିବାକୁ ସମସ୍ତେ ଅନୁରୋଧ କରିଥିଲେ । ଏହି ଅବସରରେ ବାଲେଶ୍ୱର ଡାକ ଡିଭିଜନ୍ ପକ୍ଷରୁୁ ଅବସରପ୍ରାପ୍ତ ତଥା ଓଡ଼ିଶା ଓ କେନ୍ଦ୍ର ନେତା ସାଥୀ ବୃହଷ୍ପତି ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଷାଧ୍ୟକ୍ଷ ଶ୍ରୀ କାର୍ତ୍ତିକ ଚନ୍ଦ୍ର ଦାସ ଶେରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ