ପେଟରୁ ବାହାରି ପାରିଲାନି ଫୁଲ : ମା’ର ମୃତ୍ୟୁ, ବଞ୍ଚିଗଲା ଶିଶୁ କନ୍ୟା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜନୈକ ମହିଳା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ହେଲେ ଜନ୍ମ ପରେ ପେଟରୁ ଫୁଲ ନବାହାରିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ହେଲେ ଶିଶୁ କନ୍ୟାଟି ବଞ୍ଚି ଯାଇଛି । ସୂଚନା ଅନୁଯାୟୀ ରାଜନଗର ଅନ୍ତର୍ଗତ ରଙ୍ଗଣି ତାଳଚୁଆର ନାରାୟଣପୁର ଗ୍ରାମର ଜଗନ୍ନାଥ ମଣ୍ଡଳଙ୍କ ପତ୍ନୀ ପ୍ରସବ ବେଦନା ପାଇବାରୁ ତାଙ୍କୁ ପ୍ରଥମେ ତାଳଚୁଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ଶିଶୁ କନ୍ୟା ଜନ୍ମ ହେବା ପରେ ମହିଳାଙ୍କ ପେଟରୁ ଫୁଲ ବାହାରି ପାରି ନ ଥିଲା । ଏହାର କାରଣ ଥିଲା ସ୍ୱାସ୍ଥ୍ୟକେନ୍ଦ୍ରରେ କୈାଣସି ଡାକ୍ତର ନଥିଲେ । ତେଣୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ମହିଳା ଜଣକ କେନ୍ଦ୍ରାପଡ଼ା ଆସୁଥିବା ବେଳେ ବାଟରେ ଗୁରୁତର ହୋଇ ପଡିଥିଲେ । କେନ୍ଦ୍ରାପଡାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଶିଶୁକୁ ନବଯାତ ଶିଶୁ ୱାର୍ଡରେ ରଖାଯାଇ ଚିକିତ୍ସିତ କରାଯାଇଥିଲା । ଏସମ୍ପର୍କରେ ଖବର ପାଇ ଶିଶୁ ମଙ୍ଗଳ ସମିତି ପକ୍ଷରୁ ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲଲିତାଞ୍ଜଳି ଦାସ, କନକଲତା ବେହେରା, ଶୁଭଲିପ୍ସା ବାରିକ ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚିଥିଲେ । ଏଥିସହ ମୁଖ୍ୟଚିକିତ୍ସାଧିକାରୀ ଡା. ଅନିତା ପଟ୍ଟନାୟକଙ୍କୁ ଶିଶୁଟିର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ । ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ ଏହି ଘଟଣା ପରେ ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।


