ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ୪ ବିଏଲଓଙ୍କ ଅବହେଳା: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ସୁପାରିଶ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ କେନ୍ଦ୍ରାପଡା ବ୍ଲକ ଅଧିନ ୪ଟି ବୁଥର ବୁଥ ଲେଭେଲ ଅଫିସର(ବିଏଲଓ)ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ କେନ୍ଦ୍ରାପଡା ବିଡିଓ ସୁପାରିଶ କରିଛନ୍ତି। ଏହି ବିଏଲଓମାନେ ହେଉଛନ୍ତି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ବୁଥ ନମ୍ବର ୫୩ର ବୁଥ ଲେଭେଲ ଅଫିସର ତଥା କେଶପୁର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ହରପ୍ରିୟା ସିଆଳ, ବୁଥ ନମ୍ବର ୫୭ର ବୁଥ ଲେଭେଲ ଅଫିସର ତଥା ବାଘୁଆ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳ, ବୁଥ ନମ୍ବର ୧୧୯ର ବୁଥ ଲେଭେଲ ଅଫିସର ତଥା ଶୁକଦେବ ବ୍ରହ୍ମଚାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ବିଜୟ କୁମାର ନାୟକ ଓ ୧୨୧ନମ୍ବର ବୁଥର ବୁଥ ଲେଭେଲ ଅଫିସର ତଥା ଭରସିଂ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତଥା କୋରୁଆ ଆଞ୍ଚଳିକ ସାଧନକେନ୍ଦ୍ରର ସି.ଆର.ସି.ସି. ପ୍ରଜ୍ଞା ପ୍ରଗଳ୍ଭା ଚଇନୀ ପ୍ରମୁଖ। ଏମାନେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ କରିବା ପାଇଁ ସହ ଯୋଗ କଲେ ନାହିଁ। ଏପରିକି ବିଡିଓ ସେମାନଙ୍କୁ ତାଗିଦ କରିବା ପରେ ମଧ୍ୟ ସେମାନେ ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ। ବିଡିଓ ସେମାନଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ୱେ ସେମାନେ ଏହି ନିର୍ଦ୍ଦେଶକୁ ପାଳନ କରିନଥିଲେ। ତେଣୁ ଆଇନ ଉଲ୍ଲଙ୍ଘନକାରୀ ଏହି ବିଏଲଓମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି। ଯାହାଫଳରେ ଅନ୍ୟ ବିଏଲଓମାନେ କାମ କରିବା ପାଇଁ ଉତ୍ସାହିତ ହେବେ। ଏଠାରେ ସୂଚନା ଯୋଗ୍ୟ ଯେ ସି.ଆର.ସି.ସି. ପ୍ରଜ୍ଞା ପ୍ରଗଳ୍ଭା ଚଇନୀଙ୍କର ଜନଗଣନା(ସେନସସ) ଡ୍ୟୁଟି ପଡିଥିଲା। ସେ ଏସଆଇଆର ନିଯୁକ୍ତିପତ୍ର ଦେଖାଇ ସେନସସ ଡ୍ୟୁଟିକୁ ବାତିଲ କରିଦେଇଥିଲେ। କିନ୍ତୁ ଏବେ ଏସଆଇଆର ଡ୍ୟୁଟି ମଧ୍ୟ କରୁନଥିବା ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।


