ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଚଳାବସ୍ତା ସୃଷ୍ଟି ହୋଇଛି।କାରଣ ଆଗାମୀ କିଛି ଦିନ ମଧ୍ୟରେ ୩ଜଣ ଅଧିକାରୀ ଅବସରଗ୍ରହଣ କରିବେ। ଏନେଇ ଶିକ୍ଷା ବିଭାଗରେ ସୂଚନା ରହିଛି। କିନ୍ତୁ ଏହି ଅଭାବ ପୁରଣ କରିବା ପାଇଁ କୈାଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଆସନ୍ତା ଏକମାସ ମଧ୍ୟରେ ବିଇଓ ଏବଂ ଜଣେ ଏବିଇଓ ଅବସର ନେବେ। ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟି ଏହି କାର୍ଯ୍ୟାଳୟର ବି.ଆର.ସି.ସି. ତଥା ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା ଆସନ୍ତା ଅଗଷ୍ଟମାସ ୩୧ତାରିଖରେ ଅବସରଗ୍ରହଣ କରିବେ। ଏହାସହ ସହକାରୀ ମଣ୍ଡଳଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତରାୟ ଏହାର ଦୁଇମାସ ପରେ ଅର୍ଥାତ ଆସନ୍ତା ଅକ୍ଟୋବରମାସ ୩୧ତାରିଖରେ ଅବସରଗ୍ରହଣ କରିବେ। ଏଥିସହିତ ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମଧ୍ୟ ଆସନ୍ତା ଅଗଷ୍ଟମାସ ୩୧ତାରିଖରେ ଅବସରଗ୍ରହଣ କରିବେ। ଏହାବ୍ୟତିତ ଅନ୍ୟତମ ସହକାରୀ ମଣ୍ଡଳଶିକ୍ଷାଧିକାରୀ ଅନ୍ନପୂର୍ଣ୍ଣା ପଣ୍ଡା ଭିଆରଏସ ଦରଖାସ୍ତ ଦେଇ ଗତ ଜୁନମାସରୁ ଛୁଟିରେ ଚାଲିଯାଇଛନ୍ତି। ଏହି ମଣ୍ଡଳଶିକ୍ଷା କାର୍ଯ୍ୟାଳୟ ଅଧିନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଆଗକୁ ଏହି କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହେବାର ସମ୍ଭାବନା ରହିଛି। ସହକାରୀ ମଣ୍ଡଳଶିକ୍ଷାଧିକାରୀ ଶ୍ରୀ ଜେନାଙ୍କ ଠାରୁ ଦାୟିତ୍ୱ ନେବା ପାଇଁ ଅନ୍ୟତମ ସହକାରୀ ମଣ୍ଡଳଶିକ୍ଷାଧିକାରୀ ଶ୍ରୀ ରାଉତରାୟ ରାଜି ନଥିବା ବେଳେ ଅନ୍ୟ ଜଣେ ସହକାରୀ ମଣ୍ଡଳଶିକ୍ଷାଧିକାରୀ ଛୁଟିରେ ରହିଛନ୍ତି। ଏକାସାଙ୍ଗରେ ଶ୍ରୀ ଜେନାଙ୍କ ସହ ମଣ୍ଡଳଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀ ଅବସରଗ୍ରହଣ କରୁଥିବାରୁ ଏହି କାର୍ଯ୍ୟାଳୟ କିଭଳି ଚାଲିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ନିୟମ ଅନୁଯାୟି ଜଣେ ସରକାରୀ କର୍ମଚାରୀ ବା ଅଧିକାରୀ ଅବସରଗ୍ରହଣ ଦିନହିଁ ପେନସନ ପାଇବେ। ସେଥିନିମନ୍ତେ ଅବସରଗ୍ରହଣର ୬ମାସ ପୂର୍ବରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା କଥା। କିନ୍ତୁ ଏଠାରେ ତାହା ସମ୍ଭବ ହେଉନାହିଁ। ଏହି ସମସ୍ୟା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଜଣାବା ସତ୍ୱେ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଏହି କାର୍ଯ୍ୟାଳୟରେ ଆଗକୁ ଅଚଳାବସ୍ଥା ସୃଷ୍ଟିହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ