ପାରଳାରେ ଡେଙ୍ଗୁ ଆତଙ୍କ, ଜନସାଧାରଣ ଭୟଭିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୩ ଠାରେ କିଛି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସହ ସେହି ଅଞ୍ଚଳରେ ଡେଙ୍ଗୁ ରୋଗ ପାଇଁ ଆତଙ୍କ ଦେଖାଦେଇଛି ।  ଦିବାକର ସ୍ୱାଇଁ, ସନୁ ମହାରଣା ଓ କାଳିଆ ପ୍ରଧାନ ପ୍ରମୁଖ ବ୍ୟକ୍ତି ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବାପରେ ସେମାନେ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ନିକଟସ୍ଥ ରାଗୁଲୁ ଠାରେଥିବା ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଛନ୍ତି । ଏମାନଙ୍କ ଶରୀରରେ ପ୍ଲେଟିଲେଟ୍ କମ୍ ହେବା କାରଣରୁ ସେମାନେ ବାଧ୍ୟହୋଇ ଆନ୍ଧ୍ର ରାଜ୍ୟର ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ଏବଂ ଏହି ରୋଗୀମାନେ ପ୍ରାୟ ୬୦ହଜାର ଟଙ୍କା ଠାରୁ ଉର୍ଦ୍ଧ ଟଙ୍କା ବ୍ୟୟକରି ଚିକିତ୍ସିତ ହୋଇ ଫେରିଥିବା ସେମାନେ କହିଛନ୍ତି । ଏହି ଅଞ୍ଚଳରେ ଏକ କୁକୁଡା ପାଳନକେନ୍ଦ୍ର ଚାଲୁ ରହିଥିବାବେଳେ ସେଠାରେ କୁକୁଡା ମାଂସ ବିପୁଳ ପରିମାଣରେ ବ୍ୟବସାୟ ମଧ୍ୟ କରାଯାଉଛି । କୁକୁଡା ମାଂସ ବ୍ୟବସାୟ କରାଯିବା ସହ କୁକୁଡାର ଅଦରକାରୀ ପଦାର୍ଥ ଗୁଡିକୁ ସେହି ଅଞ୍ଚଳର ନାଳରେ ପକେଇ ଦିଆଯାଉଛି । ଯାହାକି ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧିକରିବାରେ ଅଧିକ ସହାୟକ ହେଉଛି । ସେହିପରି ଏହି ଅଞ୍ଚଳରେ ଅନେକ ଖାଲଖମା ରହି ସେଥିରେ ସର୍ବଦା ପାଣି ଜମାଟ ରହିବା ଯୋଗୁଁ ତାହା ମଧ୍ୟ ମଶା ବୃଦ୍ଧି କରିବାରେ ସହାୟକ ହେଉଛି । ପରିବେଶ ଦୂଷିତ ଯୋଗୁଁ ଏଠାରେ ଅଧିକା ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଠାରେ ଡେଙ୍ଗୁରୋଗ ସମସ୍ୟାର ସମାଧାନ ପାଇଁ ପରିବେଶକୁ ସଫାସୁତୁରା କରିବା ସହ ଡେଙ୍ଗୁ ରୋଗର ନିରାକରଣପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ପରିବେଶକୁ ତୁରନ୍ତ ସଫେଇ କରି ଏଠାରେ ମଶା ମରା ତେଲର ନିୟମିତ ଭାବେ ପ୍ରୋୟଗ କରିବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିମନ୍ୟୁ ପଣ୍ଡା, କୃଷ୍ଣ କୁମାର ବେହେରା, ରାମଚନ୍ଦ୍ର ପଡିହାରୀ, ନରେଶ ମହାରଣା, ଖଗେଶ୍ୱରୀ ବେହେରା, ଖୁସୀ ବେହେରା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ