ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତର ପଦବୀ ଖାଲି : ରୋଗୀ ସେବା ବିପର୍ଯ୍ୟସ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଲାଗିରହିଛି ।ଫଳରେ ଏଠାକୁ ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ବାଧ୍ୟ ହୋଇ କଟକ ,ଭୁବନେଶ୍ୱର ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ।ଏହି ଡାକ୍ତରଖାନା ରେ ସ୍ତ୍ରୀ ରୋଗ ବିଭାଗ , ଶିଶୁ ବିଭାଗ, ମେଡିସିନ ବିଭାଗ ଡାକ୍ତର ପଦବୀ ଦୀର୍ଘ ଦିନ ହେଲା ଖାଲିପଡ଼ିଛି ।ଏହି ଡାକ୍ତରଖାନା କୁ ନିଆଳି, ଗୋପ, ବାଲିପାଟଣା ,ନିମାପଡ଼ା,କାକଟପୁର, ଓ ଅସ୍ତରଙ୍ଗ ପ୍ରଭୁତି ବ୍ଲକ ର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ୧୯୮୧ ମସିହାରେ ରାଜ୍ଯ ସ୍ଵାସ୍ଥ୍ୟମନ୍ତ୍ରୀ ହରିହର କରଣ ଏଠାରେ ଥିବା ଷଷ୍ଠ ଶଯ୍ୟା ବିଶିଷ୍ଟ ମେଡ଼ିକାଲକୁ ତ୍ରିଶ ଶଯ୍ୟା ର ମାନ୍ୟତା ଦେଇଥିଲେ ।ପରେ ଏହି ମେଡିକାଲ କୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୂପେ ଘୋଷଣା କରାଯାଇଛି । ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଡାକ୍ତରଖାନା ପ୍ରତି କାହାରି ଦୃଷ୍ଟି ପଡୁନି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସାତୋଟି ଡାକ୍ତର ପଦବୀ ଥିବାବେଳେ ତିନୋଟି ଡକ୍ଟର ପଦବୀ ଖାଲି ପଡ଼ିଛି।ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି ।ପ୍ରକାଶ ଥାଉ କି ମେଡିକାଲ ଛକରେ ଥିବା କେତେକ ଔଷଧ ଦୋକାନୀ ଦୋକାନ ନିକଟରେ କ୍ଲିନିକ୍ ଖୋଲି ରୋଗୀ ସେବା କରୁଥିବା ବେଳେ ସରକାରୀ ଡାକ୍ତର ମାନେ ସରକାରୀ ସେବା ଛାଡ଼ି ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମ କାର୍ଯ୍ୟ କରୁଛନ୍ତି ।ସ୍ବାସ୍ଥ୍ୟ ବିଭାଗର ଜ୍ଞାତସାର ରେ ଏଭଳି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ଥିବା ବହୁ ଔଷଧ ଦୋକାନ ବିନା ଲାଇସେନ୍ସ ରେ ଚାଲିଛି ।ସରକାରୀ ନିୟମାନୁସାରେ ଡାକ୍ତର ଚିଠା ବିନା ଔଷଧ ବିକ୍ରି ଲାଗି ଅନୁମତି ନଥିବା ବେଳେ କେତେକ ଦୋକାନୀ କ୍ୱାକ୍ ସାଜି ରୋଗୀ ସେବା କରୁଛନ୍ତି ।ଅଧିକାଂଶ ସମୟରେ ତ୍ରୁଟି ପୂର୍ଣ୍ଣ ଔଷଧ ବିକ୍ରୟ ଯୋଗୁ ରୋଗୀ ମାନେ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି ।ଏହି ମେଡ଼ିକାଲରେ ରୋଗୀ ଙ୍କୁ ପ୍ରଲୋଭନ ଦେଖାଇ ନର୍ସିଂ ହୋମ କୁ ନେବାଲାଗି ଦଲାଲ ମଧ୍ୟ ରହିଛନ୍ତି ।ଫଳରେ ରୋଗୀ ମାନେ ମାଗଣା ଚିକିତ୍ସା ବଦଳରେ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ମେଡ଼ିକାଲରେ ସ୍ତ୍ରୀ ଓ ପ୍ରସୃତି ବିଭାଗ ର ଜଣେ ଭଲ ଡାକ୍ତର ଥିଲେ ।ମାତ୍ର କେତେକ ଦଲାଲ, ଓ କେତେକ ଔଷଧ ଦୋକାନୀ ଙ୍କ କଥାରେ ନ ଚାଲିବାରୁ ତାଙ୍କୁ ଭିଜିଲାନ୍ସ ଦ୍ଵାରା ଧରାଇ ଦେଲେ ।ସେହିଦିନ ଠାରୁ ଏହି ମେଡିକାଲ ରେ ଉକ୍ତ ପଦବୀଟି ଖାଲି ପଡ଼ିଥିବା ବେଳେ ଔଷଧ ଦୋକାନୀ ମାନେ ହାତବାନ୍ଧି ବସିଛନ୍ତି ।ଅନ୍ୟ ପକ୍ଷରେ କେତେକ ମେଡିସିନ କମ୍ପାନୀ ପ୍ରତିନିଧି ଡାକ୍ତର ମାନଙ୍କୁ ତାଙ୍କରି କମ୍ପାନୀ ର ଔଷଧ ଲେଖିବା ପାଇ ବାଧ୍ୟ କରୁଛନ୍ତି ।ଯଦି ଡାକ୍ତର ସେହି ଔଷଧ ନ ଲେଖୁଛନ୍ତି ତେବେ ତାଙ୍କୁ ହଇରାଣ କରିବା ଲାଗି ଔଷଧ ଦୋକାନୀ ,ଦଲାଲ ଓ ନର୍ସିଂ ହୋମ ମାଲିକ ମାନେ ଲାଗି ପଡ଼ୁଛନ୍ତି ।ଏହି ନିକଟରେ ଡାକ୍ତର ନିଯୁକ୍ତି ଲାଗି କାଉନସେଲିଂ ହେଉଥିଲା ।ମାତ୍ର ଏହି ଡାକ୍ତର ଖାନା କୁ କେହି ଆସିବାକୁ ରାଜି ହେଉନଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଚାରିଛକ ମେଡିକାଲ ରୁ ଦଲାଲ ହଟାଇବା ,ଔଷଧ ଦୋକାନୀ ଓ ଔଷଧ ରିପ୍ରଜେଣ୍ଟଟିଭି ଙ୍କୁ ଆଉଟ୍ ଡୋର ସମୟରେ ମେଡ଼ିକାଲକୁ ନ ଛାଡ଼ିବା , ଡାକ୍ତର ମାନଙ୍କ ଉପରେ ଜୁଲମ ନକରିବା ପ୍ରଭୁତି ଘଟଣା ଉପରେ ଗୁରୁତ୍ବ ଦିଆ ଗଲେ ଏହି ମେଡିକାଲ କୁ ଡାକ୍ତର ଆସିବେ ବୋଲି କୁହାଯାଉଛି ।ଏବେ ରାଜ୍ୟ ସରକାର ୫୧୦ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେଉଛନ୍ତି ।ଏହି ମେଡିକାଲ କୁ ବେଶୀ ନ ହେଲେ ନାହିଁ କେବଳ ସ୍ତ୍ରୀ ଓ ପ୍ରସ୍ତୁତି ଡାକ୍ତର ହେଲେବି ମେଡିକାଲ ଆଗ ପରି ଚାଲି ପାରନ୍ତା ବୋଲି ଦାବି ହେଉଛି ।ଯଦି ରାଜ୍ୟ ସରକାର ଏହି ମେଡିକାଲ ରେ ଡାକ୍ତର ନିଯୁକ୍ତି ନ କରନ୍ତି ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଏକ ଲିଖିତ ଅଭିଯୋଗ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀଙ୍କୁ ଦିଆ ଯାଇଥିବା ଜଣା ପଡ଼ିଛି ।ମାନ୍ୟବର ବିଧାୟକ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି ।