୫୭ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଟାଟା ଷ୍ଟିଲ ଓଏମ୍କ୍ୟୁ ବିଭାଗର ଯୋଡ଼ା ପୂର୍ବ ଲୌହ ଖଣି ପକ୍ଷରୁ ଯୋଡ଼ା ପୂର୍ବ ଟାଉନ୍ସିପ୍ ଚିଲଡ୍ରେନ୍ ପାର୍କ (ହାତି ପାର୍କ) ରେ ୫୭ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୁରକ୍ଷିତ କାର୍ଯ୍ୟପ୍ରକ୍ରିୟାରେ ଉନ୍ନତି ଆଣିବା ମାଧ୍ୟମରେ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଖଣି ମାଲିକ, କର୍ମଚାରୀ ଓ ଠିକା କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଉଛି । ଏହି ଅବସରରେ ଚାଇଁବସା କ୍ଷେତ୍ରର ଖଣି ସୁରକ୍ଷା ନିର୍ଦ୍ଦେଶକ ଶ୍ରୀ ଏ ଏଚ୍ ଅନ୍ସାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉକ୍ତ କ୍ଷେତ୍ରର ୧୧ଟି ଭିନ୍ନ ଭିନ୍ନ ଖଣିର ପ୍ରତିନିଧି ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁହା (ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼) ଖଣିର ମହାପ୍ରବନ୍ଧକ ତଥା ଏ ୱାନ୍ ଗ୍ରୁପ୍ ଆବାହକ ଶ୍ରୀ ଅନିରୁଦ୍ଧ ଶର୍ମା, ଟାଟା ଷ୍ଟିଲ ଓଏମ୍କ୍ୟୁ ବିଭାଗର ମହା ପ୍ରବନ୍ଧକ ଶ୍ରୀ ଅତୁଲ ଭଟ୍ଟନାଗର, ଟାଟା ଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାର, ଖଣ୍ଡବନ୍ଧ ଚିଫ୍ ଶ୍ରୀ ଶିରିଶ ଶେଖର ଓ ନୋଆମୁଣ୍ଡି ଚିଫ୍ ଶ୍ରୀ ଆର ପି ମାଲିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନ ପରେ ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ, ସହଯୋଗୀ ଭେଣ୍ଡର, ବିଦ୍ୟାଳୟ, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଶ୍ରେଷ୍ଠ ସୁରକ୍ଷା କାର୍ଯ୍ୟପ୍ରଣାଳୀ, ସୁରକ୍ଷା ଡିଜିଟାଲାଇଜେସନ୍ ଓ ସୁରକ୍ଷା ଉପକରଣ ଉପରେ ପ୍ରସ୍ତୁତ କରାଯାଇଥିବା ୩୦ଟି ଷ୍ଟଲ ନିରୀକ୍ଷଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଉଦ୍ବୋଧନ ଦେଇ ଚାଇଁବସା କ୍ଷେତ୍ରର ଖଣି ସୁରକ୍ଷା ନିର୍ଦ୍ଦେଶକ ଶ୍ରୀ ଏ ଏଚ୍ ଅନ୍ସାରୀ କହିଛନ୍ତି, “ଆମେ ନିଶ୍ଚିତ ଭାବେ ଶୂନ୍ୟ କ୍ଷତି/ଦୁର୍ଘଟଣା ଲକ୍ଷ୍ୟ ହାସଲ କରିବୁ, କିନ୍ତୁ ଏଥିପାଇଁ ଆମକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷାକୁ ସାମିଲ କରିବାକୁ ପଡ଼ିବ” । ସେହିପରି ଟାଟା ଷ୍ଟିଲ ଓଏମ୍କ୍ୟୁ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଅତୁଲ ଭଟ୍ଟନାଗର କହିଛନ୍ତି, “ଏହି ଅବସରରେ ଆମେ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ଏହା ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛୁ । ଏହା ଅନ୍ୟ ଖଣିର ଅଧିକାରୀଙ୍କ ସହିତ ଶ୍ରେଷ୍ଠ ସୁରକ୍ଷା କୌଶଳ, ଉପକରଣ ଓ ପ୍ରକ୍ରିୟାକରଣ ଭଳି ବିଷୟରେ ଆଲୋଚନା କରିବାର ଉପଯୁକ୍ତ ମଂଚ । ଚଳିତ ବର୍ଷ ‘ଡିଜିଟାଲାଇଜେସନ୍’କୁ ସୁରକ୍ଷା ସପ୍ତାହର ବିଷୟବସ୍ତୁ ରୂପେ ରଖାଯାଯାଇଛି । ‘ଡିଜିଟାଲାଇଜେସନ୍’ ଆମ ଦୈନନ୍ଦିତ ଜୀବନରେ ଅବିଛିନ୍ନ ଅଂଗ ହୋଇଯାଇଥିବାବେଳେ କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା ସଂଖ୍ୟାକୁ କମ୍ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” । ଯୋଡ଼ା ଟାଉନ୍ସିପ୍ର ‘ସ୍ପନ୍ଧନ’ ନାମକ ମହିଳା ସମିତି ପକ୍ଷରୁ ଅତିଥିମାନଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ଯୋଡ଼ା ପୂର୍ବ ଲୌହ ଖଣି କର୍ମଚାରୀଙ୍କ ଦ୍ୱାରା ସୁରକ୍ଷା ଗୀତ, ସୁରକ୍ଷା ନାଟକ ଓ ସୁରକ୍ଷା କବାଲି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ଏଠାରେ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ସଂଘ ପ୍ରତିନିଧି, କର୍ମଚାରୀ, ଭେଣ୍ଡର ସହଯୋଗୀ ଓ ସ୍ଥାନୀୟ ଲୋକମାନେ ସୁରକ୍ଷା ଉପରେ ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମର ମଜା ନେଇଥିଲେ ।


